ଓଟିଇଟି ମୂଲ୍ୟାଙ୍କନରେ ତ୍ରୁଟି ଅଭିଯୋଗ: ଗ୍ରେସ୍ ମାର୍କ ଦାବିରେ ବୋର୍ଡ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ
କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ଓଡିଶା ଟିଚର୍ସ ଇଲିଜିବିଲିଟି ଟେଷ୍ଟ(ଓଟିଇଟି) ପରୀକ୍ଷା ଫଳକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ଶତାଧିକ ଶିକ୍ଷକ । ମୂଲ୍ୟାଙ୍କନରେ ତ୍ରୁଟି ଥିବା ଅଭିଯୋଗ କରି ଆଜି ବୋର୍ଡ କାର୍ଯ୍ୟାଳୟ ସମ୍ମୁଖରେ ଶହ ଶହ ଶିକ୍ଷକ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଗ୍ରେସ୍ ମାର୍କ ଦେବାକୁ ଦାବି କରିଛନ୍ତି । ରାଜ୍ୟର କୋଣ ଅନୁକୋଣରୁ ଆସିଥିବା ଏହି ଶିକ୍ଷକମାନେ ଗତ ତିନି ଦିନ ଧରି ବୋର୍ଡରେ ଦାବି ଜଣାଇଆସୁଥିଲେ ମଧ୍ୟ କର୍ତ୍ତୃପକ୍ଷ ଏଥିପ୍ରତି କର୍ଣ୍ଣପାତ କରୁନଥିବା ଅଭିଯୋଗ କରାଯାଇଛି I ସୂଚନାଯୋଗ୍ୟ ଯେ, ଗତ ଅଗଷ୍ଟ ୨୯ରେ ସ୍ମେଶାଲ ଓଟିଇଟି ପରୀକ୍ଷା ହୋଇଥିଲା ବେଳେ ଗତ ୯ ତାରିଖରେ ଏହାର ଫଳ ପ୍ରକାଶ ହୋଇଥିଲା । ହେଲେ ୧୦ ତାରିଖରେ ପୁନର୍ବାର ରେଜଲ୍ଟ ବାହାର କରାଯାଇ ଫେଲ ହୋଇଥିବା ବହୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପାସ୍ କରାଯାଇଛି । ଅପରପକ୍ଷରେ ୯ ତାରିଖ ଫଳ ପ୍ରକାଶନରେ ଭଲ ମାର୍କ ରଖିଥିବା ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଏଥିରେ ଫେଲ ହୋଇଯାଇଛନ୍ତି । ଏହାର ପ୍ରତିବାଦରେ ଶହ ଶହ ଶିକ୍ଷକ ଗତ ତିନି ଦିନ ଧରି ବୋର୍ଡ ଅଫିସ୍ ସମ୍ମୁଖରେ ଏକାଠି ହୋଇ ଦାବି ଜଣାଉଛନ୍ତି । ବାରମ୍ବାର ଓଟିଇଟି ପରୀକ୍ଷା ଦେବା ପରେ ବି ପାସ୍ କରିବା କଷ୍ଟସାଧ୍ୟ ହେଉଥିବାରୁ ଗ୍ରେସ୍ ମାର୍କ ଦେବାକୁ କିମ୍ବା ପାସ୍ ମାର୍କ କମ୍ କରିବାକୁ ସେମାନେ ଦାବି ଜଣାଇଛନ୍ତି । ଯଦି ଏଦିଗରେ କୈାଣସି ପଦକ୍ଷେପ ବୋର୍ଡ କର୍ତ୍ତୃପକ୍ଷ ନ ନିଅନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନ କରାଯିବାର ଚେତାବନୀ ଦିଆଯାଇଛି ।
