ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ବେଖାତିର ଜଳ ସଂପଦ ବିଭାଗର ବହୁ ବରିଷ୍ଠ ଯନ୍ତ୍ରୀ ପଦୋନ୍ନତିରୁ ବଂଚିତ
କଟକ : ରାଜ୍ୟ ଜଳ ସଂପଦ ବିଭାଗର ବିଭିନ୍ନ ଜିଲ୍ଲାରେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ପଦବୀ ଖାଲି ପଡିଥିବା ବେଳେ ଅଧୀକ୍ଷଣ ଯନ୍ତ୍ରୀ ପାହ୍ୟାରୁ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ପଦବୀକୁ ପଦୋନ୍ନତି ପାଇବାକୁ ଥିବା ଯନ୍ତ୍ରୀମାନଙ୍କୁ ଉପେକ୍ଷା କରାଯାଉଛି । ମୁଖ୍ୟତଃ ସରକାରୀ ସ୍ତରରେ ଡିପାର୍ଟମେଣ୍ଟାଲ ପଦୋନ୍ନତି କମିଟି(ଡିପିସି) ବସୁନଥିବାରୁ ଏବେ ବହୁ ଯନ୍ତ୍ରୀ ବିଗତ ୬ ମାସ ଧରି ସେମାନଙ୍କ ପୂର୍ବ ପଦବୀରେ କାର୍ଯ୍ୟ କରିଆସୁଛନ୍ତି । ଯାହାଫଳରେ ରାଜ୍ୟ ସରକାରଙ୍କ ସର୍ଭିସ୍ ଗାଇଡ ଲାଇନ୍ ଅନୁଯାୟୀ ପଦୋନ୍ନତି ପାଇବାକୁ ଥିବା ଯନ୍ତ୍ରୀମାନେ ହଜାର ହଜାର ଟଙ୍କା ହରାଉଛନ୍ତି । ଏକ ଅନୁସନ୍ଧାନରୁ ଜଣାଯାଇଛି ଯେ, ଗତ ୨୦୨୨ ଅକ୍ଟୋବର ୨୦ ତାରିଖରେ ସରକାରଙ୍କ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗର ଖୋଦ୍ ଅତିରିକ୍ତ ସଚିବ ତାଙ୍କ ଚିଠି ସଂଖ୍ୟା ୨୯୮୦୩ରେ ସମସ୍ତ ବିଭାଗୀୟ ଅଧିକାରୀ, ଜିଲ୍ଲାପାଳ ଓ କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତଙ୍କୁ ଚିଠି ଲେଖି କର୍ମଚାରୀମାନଙ୍କର ପଦୋନ୍ନତି ଉପରେ ଗୁରୁତ୍ୱ ଦେଇଥିଲେ । ୨୦୨୦ ମସିହା ଜାନୁଆରୀ ୧୦ର ବିଭାଗୀୟ ନିୟମାବଳୀ(୧୦୩୧) ଅନୁଯାୟୀ ପ୍ରତ୍ୟେକ ବିଭାଗ ସରକାରୀ କର୍ମଚାରୀଙ୍କ ପଦୋନ୍ନତି ପାଇଁ ପ୍ରତ୍ୟେକ ବର୍ଷ ଡିସେମ୍ବର ମାସ ୧୫ ତାରିଖ ମଧ୍ୟରେ ଡିପିସି ବସାଇ ବିବେଚିତ କର୍ମଚାରୀମାନଙ୍କ ନାମକୁ ସୁପାରିଶ ପାଇଁ ପରାମର୍ଶ ଦେଇଥିଲେ । ହେଲେ ରାଜ୍ୟ ଜଳ ସଂପଦ ବିଭାଗର କେତେକ ବରିଷ୍ଠ ଅଧିକାରୀମାନେ ସାଧାରଣ ପ୍ରଶାସନ ବିଭାଗର ନିୟମାବଳୀକୁ ଉଲ୍ଲ୍ଙ୍ଘନ କରି ଫାଇଲଟିକୁ ଟେବୁଲ ଉପରେ ଚାପି ରଖିଛନ୍ତି । ଯାହା ଫଳରେ କଟକ, ଭୁବନେଶ୍ୱର, ପୁରୀ, ଯାଜପୁର ଆଦି ଅଂଚଳର ବହୁ ନିର୍ବାହୀ ଯନ୍ତ୍ରୀ, ଅଧୀକ୍ଷଣ ଯନ୍ତ୍ରୀ ଓ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ପଦୋନ୍ନତିରୁ ବଂଚିତ ହୋଇ ପୂର୍ବଭଳି ସେହି ପଦବୀରେ କାମ କରୁଛନ୍ତି ।
