ବିଞ୍ଜିଖୋଲ ଜଙ୍ଗଲରୁ ହାତୀର ମୃତଦେହ ଉଦ୍ଧାର
ସମ୍ବଲପୁର : ସମ୍ବଲପୁର ଜିଲା ବାମରା ବନଖଣ୍ଡ ଅନ୍ତର୍ଗତ ବିଞ୍ଜିଖୋଲ ଜଙ୍ଗଲରୁ ଏକ ହାତୀର ମୃତଦେହ ଉଦ୍ଧାର କରାଯାଇଛି । ଖବରପାଇ ବନବିଭାଗ ପହଞ୍ଚି ହାତୀର ମୃତଦେହକୁ ଉଦ୍ଧାର ସହ ତଦନ୍ତ ଜାରି ରଖିଛି ।
କୁଚିଣ୍ଡା ରେଞ୍ଜ ଅନ୍ତର୍ଗତ ବିଞ୍ଜିଖୋଲ ଗାଁ ନିକଟସ୍ଥ ଜଙ୍ଗଲରୁ ଏହି ହାତୀର ମୃତଦେହକୁ ସ୍ଥାନୀୟ ଲୋକେ ଦେଖି ବନ ବିଭାଗକୁ ସୂଚନା ଦେଇଥିଲେ। ତେବେ ଘଟଣାସ୍ଥଳଟି ଉଭୟ ସମ୍ବଲପୁର ଓ ସୁନ୍ଦରଗଡ ଜିଲାର ସୀମାନ୍ତରେ ହୋଇଥିବାରୁ ବନ ବିଭାଗ ପହଞ୍ଚିବାରେ ବିଳମ୍ବ ହୋଇଥିଲା। ତଦନ୍ତ ପରେ ହାତୀ ପାଟିରେ ଏକ ଘା’ ହୋଇଥିବା ବେଳେ ଘା’ଟି ପଚି ଯାଇଥିବା ଦେଖିବାକୁ ମିଳିଥିଲା। ବନ ବିଭାଗ ହାତୀର ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଘଟଣାସ୍ଥଳରେ ରେଞ୍ଜର ଗଗନ ବିହାରୀ ମଲ୍ଲିକ ଓ ବନ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ବ୍ୟବଚ୍ଛେଦ ରିପୋର୍ଟ ପରେ କାରଣ ସ୍ପଷ୍ଟ ଜଣାପଡିବ ବୋଲି ରେଞ୍ଜର ସୂଚନା ଦେଇଛନ୍ତି।
