କଲମାର ସବୁ ଗେଟ ବନ୍ଦ କଲା ଛତିଶଗଡ! ମହାବିପଦର ସାମ୍ନା କରିବ ମହାନଦୀ
ସମ୍ବଲପୁର : ମହାନଦୀ ଉପର ମୁଣ୍ଡରେ ଛତିଶଗଡ଼ ସରକାର କଲମା ବ୍ୟାରେଜର ସବୁ ଗେଟ ବନ୍ଦ କରିଛନ୍ତି। ଫଳରେ ମହାନଦୀର ଜଳସ୍ରୋତ କଲମା ବ୍ୟାରେଜକୁ ପାର କରି ହୀରାକୁଦ ଜଳଭଣ୍ଡାରକୁ ମୁନ୍ଦାଏ ବି ପାଣି ଆସୁନାହିଁ। ଏଥିପାଇଁ ଆଗକୁ ମହାବିପଦର ସାମ୍ନା କରିବ ମହାନଦୀ ।
କଲମା ବ୍ୟାରେଜର ଉପର ମୁଣ୍ଡରେ(ଛତିଶଗଡ଼ ପଟେ) ପାଣି ଚହଳ ମାରୁଥିବାବେଳେ ତଳ ମୁଣ୍ଡରେ(ଓଡିଶା ପଟେ) ଶୁଖିଲା ଭୁଇଁ ଦେଖା ଦେଉଛି । ଫଳରେ ଖରାଦିନ ଆରମ୍ଭରୁ ହିଁ ଓଡ଼ିଶାରେ ମହାନଦୀ ଶୁଖିବାରେ ଲାଗିଲାଣି । ଆଉ କିଛି ଦିନ ମଧ୍ୟରେ ଏହାର ସମ୍ପୂର୍ଣ୍ଣ ଭାବରେ ଶୁଖିଯିବ । ଅନ୍ୟପଟେ ମହାନଦୀର ମୁଖ୍ୟସ୍ରୋତକୁ ଛତିଶଗଡ଼ ସରକାର ବ୍ୟାରେଜ କରି ଖାରାଦିନେ ରୋକି ଦେଉଥିବାରୁ ଏବେ ଉପାନ୍ତ ଅଞ୍ଚଳରେ ଭୂତଳ ଜଳ ଖସିବାରେ ଲାଗିଲାଣି ।
ସୂଚନା ଯେ, ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ରହିଛି ୬୧୮.୦୮ ଫୁଟ । ଯାହା ୨୦୨୦ରେ ଆଜିର ଦିନରେ ୬୨୨.୮୯ ଫୁଟ ରହିଥିଲା ।ଚଳିତ ବର୍ଷ ବର୍ଷା କମ ସାଙ୍ଗକୁ ଅଣମୌସୁମୀ ସମୟରେ ଗେଟ୍ ବନ୍ଦ କରିବା ଛତିଶଗଡର ମନମାନି ବୋଲି କୁହାଯାଇପାରେ। ଆଜିର ଦିନରେ ଜଳଭଣ୍ଡାରକୁ ଜଳପ୍ରବେଶ ନଥିବା ବେଳେ ଜଳସେଚନ ଓ ବିଦ୍ୟୁତ ଉତ୍ପାଦନ ପାଇଁ ୧୬୪୭୬ କ୍ୟୁସେକ ଜଳ ପ୍ରତି ସେକେଣ୍ଡରେ ନିଷ୍କାସିତ ହେଉଛି ।ତେବେ ଏପ୍ରିଲରୁ ଯଦି ଏଭଳି ସ୍ଥିତି ଉତ୍ପନ୍ନ ହେଲାଣି ତେବେ ଆଗକୁ କଣ ହେବ ସ୍ଥିତି, ତାହା ଜଳ ଜଳ ହୋଇ ଦିଶିଲାଣି । ଅନ୍ୟ ପକ୍ଷରେ ଗତ ଜାନୁଆରୀ ମାସରେ ୦.୩୩୨ ମିଲିୟନ ଏକର ଫୁଟ ଜଳ ହୀରାକୁଦ ଜଜ ଭଣ୍ଡାରକୁ ଆସିଥିବାବେଳେ ଫେବୃଆରୀ ମାସରେ ତାହା କମି ୦.୧୬୪ ମିଲିୟନ ଫୁଟ ହୋଇଛି । ମାର୍ଚ୍ଚରେ ତାହା ପୁଣି କମିଆସି ୦.୧୧୩ ମିଲିୟନ ଏକର ଫୁଟ୍ ରେ ପହିଂଚିଛି ।
