ସହରାଂଚଳରେ ବୈଦତୁକ ବର୍ଜ୍ୟ ସଂଗ୍ରହ : ସଦୁପଯୋଗ ନିମନ୍ତେ ମୁଖ୍ୟ ଶାସନ ସଚିବଙ୍କ ଅନୁରୋଧ
ଭୁୁବନେଶ୍ୱର : ସରକାରଙ୍କ ପୂର୍ବ ନିର୍ଦ୍ଦେଶ ଅନୁସାରେ ସମସ୍ତ ସହରାଂଚଳରେ ବୈଦୁତିକ-ବର୍ଜ୍ୟ ସଂଗ୍ରହ ବ୍ୟବସ୍ଥାକୁ ବ୍ୟବସ୍ଥିତ କରାଯାଇଛି । ରାଜ୍ୟର ୧୧୪ ଟି ସହରାଂଚଳରେ ପ୍ରତି ସପ୍ତାହ ଶନିବାର ଦିନ ବୈଦୁତିକ-ବର୍ଜ୍ୟ ଏବଂ ବାସଗୃହ ପାଇଁ ବିପଦପୂର୍ଣ୍ଣ-ବର୍ଜ୍ୟ ଗୁଡ଼ିକ ସଂଗ୍ରହ କରାଯାଉଛି । ଏହି ବ୍ୟବସ୍ଥାର ସଦୁପଯୋଗ କରି ନିଜ ନିଜ ପରିବେଶକୁ ଇ-ବର୍ଜ୍ୟ ଜାତ ବିଷାକ୍ତ ପ୍ରଦ୍ୟୁଷଣ ବଳୟରୁ ରକ୍ଷାକରିବା ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସବୁ ସହରାଂଚଳବାସୀମାନଙ୍କୁ ଅନୁରୋଧ କରିଛନ୍ତି । ଇ-ବର୍ଜ୍ୟ ଏବଂ ଅନ୍ୟାନ୍ୟ ବିପଦ ପୂର୍ଣ୍ଣ-ବର୍ଜ୍ୟ ଏଣେତେଣେ ପକାଇଲେ ମାଟି ଓ ପାଣି ବିଶେଷଭାବେ ବିଷାକ୍ତ ହୁଏ । ଏହା ବାୟୁକୁ ମଧ୍ୟ ପ୍ରଦ୍ୟୁଷିତ କରେ, ତେଣୁ ଏହି ବର୍ଜ୍ୟ ଗୁଡ଼ିକୁ ଅଲଗା ରଖି ପ୍ରତି ଶନିବାର ଦିନ ବର୍ଜ୍ୟ ସଂଗ୍ରହ ଗାଡ଼ିରେ ଦେବା ପାଇଁ ଶ୍ରୀ ମହାପାତ୍ର ଅନୁରୋଧ କରିଛନ୍ତି ।
ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ପ୍ରାୟ ୫ ସପ୍ତାହ ତଳେ ଆରମ୍ଭ କରାଯାଇଥିବା ଏହି କାର୍ଯ୍ୟକୁ ଇତି ମଧ୍ୟରେ ସବୁ ସହରାଂଚଳରେ ସୁବ୍ୟବସ୍ଥିତ କରାଯାଇଛି । ଅନ୍ୟାନ୍ୟ ଅଳିଆପରି ଘରକୁ ଘର ଏହା ସଂଗ୍ରହ କରାଯାଉଛି । ସଂଗ୍ରହପରେ ପ୍ରତି ସହରାଂଚଳରେ ପ୍ରସ୍ତୁତ କରାଯାଇଥିବା ବର୍ଜ୍ୟ ରୁ ସଂପଦ କେନ୍ଦ୍ରରେ ଥିବା ଇ-ବର୍ଜ୍ୟ ଏବଂ ଘରୋଇ-ବର୍ଜ୍ୟ କର୍ଣ୍ଣରରେ ଅଲଗା ଅଲଗା ରଖାଯାଉଛି । ବର୍ଜ୍ୟ ପୃଥକୀକରଣ ପ୍ରକ୍ରିୟାରେ ନିୟୋଜିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନେ ସେସବୁକୁ ଭିନ୍ନଭିନ୍ନ ଭାବେ ଓଜନ କରି ଆମ ସହର ମୋବାଇଲ୍ ଆପ୍ ରେ ଓଜନ ପରିମାଣ ତଥ୍ୟ ଅପଲୋଡ୍ କରୁଛନ୍ତି । ଓଡ଼ିଶା ପ୍ରଦ୍ୟୁଷଣ ବୋର୍ଡଙ୍କ ଦ୍ୱାରା ସ୍ୱୀକୃତ ଓ ଲାଇସେନ୍ସ୍ ପ୍ରାପ୍ତ ଇ-ବର୍ଜ୍ୟ ପ୍ରକ୍ରିୟାକରଣ ସଂସ୍ଥା ମାନେ ସହରାଂଚଳରୁ ଏହି ବର୍ଜ୍ୟ ସଂଗ୍ରହ କରି ନିର୍ଦ୍ଧାରିତ ନିୟମ ଅନୁସାରେ ପ୍ରକ୍ରିୟାକରଣ କରୁଛନ୍ତି ।
ଇ-ବର୍ଜ୍ୟଭାବେ ମୁଖ୍ୟତଃ କମ୍ପୁଟର ମନିଟର, କିବୋର୍ଡ, ମାଉସ୍, ମୋବାଇଲ୍ ଫୋନ୍, ବୈଦୁତିକ ଖେଳନା, ବୈଦୁତିକ ଯନ୍ତ୍ରପାତି, ଷ୍ଟାବିଲାଇଜର୍ , ପିଗମେଟ୍, ଟିଭି, ଡିଜିଟାଲ୍ ସେଟ୍ଅପ୍ ବକ୍ସ, ରେଫ୍ରିଜେରେଟର ଏବଂ ବିଷାକ୍ତ ବସ୍ତୁ ଥିବା ବିଭିନ୍ନ ଉପକରଣ ଆଦି ସଂଗ୍ରହ ହେଉଛି । ସେହିଭଳି ଟ୍ୟୁବ୍ ଲାଇଟ୍, ଇଲେକ୍ଟ୍ରିକ୍ ବଲ୍, ରଙ୍ଗଡବା, ଅବଧିକାଳ ସରିଥିବା ଓøଷଧ, ଥର୍ମୋମିଟର, ବ୍ୟାଟେରୀ, ଛୁଂଚି ବ୍ୟବହାର ହୋଇସାରିଥିବା ସିରିଞ୍ଜ୍, ପ୍ରଦ୍ୟୁଷିତ ହୋଇଥିବା ଗଜ୍ କନା ଆଦିକୁ ବିପଦପୂର୍ଣ୍ଣ ଘରୋଇ-ବର୍ଜ୍ୟଭାବେ ସଂଗ୍ରହ କରାଯାଇଛି ।
