ରେଳ କୌଶଳ ବିକାଶ ଯୋଜନାର ଉଦଘାଟନ କଲେ ରେଳ ମନ୍ତ୍ରୀ
ଭୁୁବନେଶ୍ୱର : କେନ୍ଦ୍ର ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନୂଆଦିଲ୍ଲୀରୁ ଭିଡିଓ ଲିଙ୍କ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଦକ୍ଷତା ବିକାଶ ଯୋଜନା ଅଧୀନରେ ରେଳ କୌଶଳ ବିକାଶ ଯୋଜନାର ଉଦଘାଟନ କରିଛନ୍ତି । ପୂର୍ବ ତଟ ରେଳବାଇର ଜେନେରାଲ ମ୍ୟାନେଜର ବିଦ୍ୟା ଭୂଷଣ ବରିଷ୍ଠ ଅଧିକାରୀଙ୍କ ସହ ରଥ ମରାମତି କର୍ମଶାଳାରେ ଉପସ୍ଥିତ ରହି ତାଲିମପ୍ରାପ୍ତ ବ୍ୟକ୍ତିଙ୍କ ସହ କଥାବାର୍ତା କରିଥିଲେ । ସେହିଭଳି ଅଙ୍ଗୁଲ ଏବଂ ବିଶାଖାପାଟନମ୍ ଇଲେକ୍ଟିକ୍ ଲୋକୋ ଶେଡ୍, ବିଶାଖାପାଟନମ୍ ଡିଜେଲ୍ ଲୋକୋସେଡ୍ ଠାରେ ମଧ୍ୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଶ୍ରୀ ବୈଷ୍ଣବ କହିଛନ୍ତି ଯେ ରେଳ କୌଶଳ ବିକାଶ ଯୋଜନା ଏହି ଅଂଚଳର ବେକାର ଯୁବକମାନଙ୍କ ପାଇଁ ସହାୟକ ହେବ ଏବଂ ସେମାନେ ବିଭିନ୍ନ ଦକ୍ଷତା ବିଷୟରେ ଜାଣିପାରିବେ ଏବଂ ନିଜସ୍ୱ ଉଦ୍ୟୋଗ ପାଇଁ ନିଜକୁ ବିକାଶ କରିପାରିବେ କିମ୍ବା ବିଭିନ୍ନ ଶିଳ୍ପ କ୍ଷେତ୍ରରେ ଚାକିରି ପାଇପାରିବେ । ତାଲିମ ଦିଆଯାଉଥିବା ଯୁବକମାନେ ଏହାଦ୍ୱାରା ଅଭିନବ ଏବଂ ସୃଜନଶୀଳ ଚିନ୍ତାଧାରା ବିକାଶ ପାରିବେ ।
ଏହି ତାଲିମ ଦ୍ୱାରା ଏହି ଅଂଚଳର ଯୁବକମାନଙ୍କୁ ବିଭିନ୍ନ ଶିଳ୍ପସଂସ୍ଥା ମାନଙ୍କରେ ନିଯୁକ୍ତି ସହାୟତା ପାଇପାରିବେ । ନିକଟ ଅତୀତରେ ପୂର୍ବ ତଟ ଅଂଚଳରେ ଶିଳ୍ପ କ୍ଷେତ୍ରଗୁଡିକର ଅଭିବୃଦ୍ଧି ପ୍ରଗତିଶୀଳ ଏବଂ ଅନୁକୂଳ ବ୍ୟବସାୟ ପାଇଁ କୁଶଳୀ ମାନବ ଆବଶ୍ୟକ କରିବ । ଦକ୍ଷତା ବିକାଶକୁ ପ୍ରୋତ୍ସାହିତ କରିବା ଶିଳ୍ପ ଅଭିବୃଦ୍ଧି ପାଇଁ ବିଶ୍ୱ ମାନକ ଉପରେ ଧ୍ୟାନ ଦେବ । ପ୍ରସିକ୍ଷଣ ନେଉଥିବା ଛାତ ଛାତ୍ରୀ ମାନଙ୍କୁ ଶ୍ରୀ ବୈଷ୍ଣବ ଉତ୍ସାହିତ କରିବା ସହିତ ଟ୍ରେନିଂ ସମୟରେ ଗଭୀର ଧ୍ୟାନଦେଇ ପ୍ରଶିକ୍ଷଣ ନେବାକୁ ପ୍ରବର୍ତାଇଥିଲେ ।
ଏହି ଯୋଜନାରେ, ସର୍ବନିମ୍ନ ୧୮ ରୁ ୩୫ ବର୍ଷ ବୟସରେ ମାଟ୍ରିକ୍ ପାସ୍ ଯୋଗ୍ୟତା ଥିବା ବେକାର ଯୁବକମାନଙ୍କୁ ଦକ୍ଷତା ବିକାଶ ପାଇଁ ମାଗଣା ତାଲିମ ଦିଆଯିବ । ସଫଳତାର ସହିତ ପ୍ରସିକ୍ଷଣ ସମ୍ପାଦନ ପରେ ଛାତ୍ରଛାତ୍ରୀ ମାନଙ୍କୁ ରେଳବାଇ ପକ୍ଷରୁ ସାର୍ଟିଫିକେଟ ପ୍ରଦାନ କରାଯିବ । ପୂର୍ବ ତଟ ରେଳପଥ ଏହି ଅଂଚଳର ୨୫୦୦ ଯୁବକଙ୍କୁ ଏହି ସୁଯୋଗ ପ୍ରଦାନ କରିବାକୁ ଯୋଜନା କରିଛି । ୱେଲଡିଂ, ବୈଦ୍ୟୁତିକ କାର୍ଯ୍ୟ ଓ ଫିଟର କାର୍ଯ୍ୟ ଇତ୍ୟାଦିରେ ପ୍ରସିକ୍ଷଣ ପାଇଁ ବିଶାଖାପାଟନମରେ ଡିଜେଲ ଲୋକୋ ଶେଡ, ଅନୁଗୁଳ ଓ ବିଶାଖାପାଟନମ ଇଲେକ୍ଟ୍ରିକ୍ ଲୋକୋ ଶେଡ୍ ଏବଂ ମେଂଚଶ୍ୱର ରେଳ ଡବା ମରାମତି କାରଖାନା ମାନଙ୍କରେ ପ୍ରତ୍ୟେକ ସ୍ଥାନରେ ୨୦ ଟି ସ୍ଲଟ୍ ସହିତ ତାଲିମ ଦିଆଯିବ । ପ୍ରତ୍ୟକ ବିଦ୍ୟାର୍ଥୀଙ୍କୁ ତିନି ସପ୍ତାହ ମଧ୍ୟରେ ୧୦୦ ଘଂଟାର ପ୍ରଶିକ୍ଷଣ ଦିଆଯିବ । ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ (ଏମଏସଡିଏ) ପ୍ରଧାନମନ୍ତ୍ରୀଙ୍କ କୌଶଳ ବିକାଶ ଯୋଜନା ଅଧୀନରେ ସ୍କିଲ ଇଣ୍ଡିଆ ମିଶନ ପରିଚାଳନା କରୁଛି । ରେଳ କୌଶଳ ବିକାଶ ଯୋଜନାରେ ପୂର୍ବତଟ ରେଳପଥ ପ୍ରାୟ ୯୦୦ ଯୁବକଙ୍କ ଠାରୁ ଦରଖାସ୍ତ ଗ୍ରହଣ କରିଛି ।
