ମହାନଦୀରେ ନାହିଁ ବନ୍ୟା ଆଶଙ୍କା : ଏସଆରସି
ଭୁୁବନେଶ୍ୱର : ଉପର ମୁଣ୍ଡରେ ବର୍ଷା କମିଛି, ହୀରାକୁଦକୁ ଜଳ ପ୍ରବେଶ କମିଛି । ତେଣୁ ମହାନଦୀ ଅବବାହିକାରେ ବିଶେଷ ସମସ୍ୟା ସୃଷ୍ଟି ହେବନି । ମହାନଦୀରେ ନାହିଁ ବନ୍ୟା ଆଶଙ୍କା ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଆସନ୍ତାକାଲି ସକାଳେ ମୁଣ୍ଡଳୀ ଦେଇ ସର୍ବାଧିକ ବନ୍ୟାଜଳ ପ୍ରବାହିତ ହେବ । ଏବେ ହୀରାକୁଦକୁ ଉପରମୁଣ୍ଡରୁ ଇନ-ଫ୍ଲୋ କମିଛି । ଗତକାଲି ସୁଦ୍ଧା ହୀରାକୁଦକୁ ୫ଲକ୍ଷ ୫୦ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଥିଲା । ଏବେ ତାହା ହ୍ରାସ ପାଇ ୪ଲକ୍ଷ ୭୦ହଜାର କ୍ୟୁସେକରେ ପହଂଚିଛି । ମୁଣ୍ଡଳି ଦେଇ ୭ଲକ୍ଷ ୫୦ହଜାରରୁ ୮ଲକ୍ଷ କ୍ୟୁସେକ ମଧ୍ୟରେ ଜଳ ପ୍ରବାହିତ ହେବ । ଏହାଦ୍ୱାରା ମହାନଦୀ ଅବବାହିକାରେ ବିଶେଷ ସମସ୍ୟା ସୃଷ୍ଟି ହେବନି । ମହାନଦୀରେ ନାହିଁ ବନ୍ୟା ଆଶଙ୍କା । ବୈତରଣୀ, ବୁଡାବଳଙ୍ଗ ଓ ଜଳକାର ଜଳସ୍ତର କମିବା ଆରମ୍ଭ ହୋଇଛି । ତେବେ ରାଜଘାଟଠାରେ ସୁବର୍ଣ୍ଣରେଖାର ଜଳସ୍ତର ବଢୁଛି । ଘଂଟାକୁ ୪ସେଂଟିମିଟର ହାରରେ ସୁବର୍ଣ୍ଣରେଖାର ଜଳସ୍ତର ବଢୁଛି । ଆଜି ରାତି ୧୦ରୁ ୧୨ଟା ମଧ୍ୟରେ ସର୍ବାଧିକ ଜଳସ୍ତର ବୃଦ୍ଧି ପାଇବ । ଏହାଦ୍ୱାରା ବାଲେଶ୍ୱର ଭୋଗରାଇ, ବାଲିଆପାଳ ଆଦି ତଳି ଅଂଚଳରେ ସାମାନ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହେବ । ଏନେଇ ଜିଲ୍ଲା ପ୍ରଶାସନକୁ ଆଲର୍ଟ କରାଯାଇଛି । ବ୍ରାହ୍ମଣୀର ଜଳସ୍ତର ମଧ୍ୟ କମିବା ଆରମ୍ଭ ହୋଇଛି ।
