ତିହିଡ଼ିରେ ନୂତନ କୋର୍ଟ ସ୍ଥାପନ ପାଇଁ ଜିଲା ଦୌରାଜଜ୍ଙ୍କ କ୍ଷେତ୍ର ପରିଦର୍ଶନ
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ସଦର ମହକୁମାରେ ନୂତନ ସିଭିଲ କୋର୍ଟ ଜୁନିୟର ଡିଭିଜନ କମ ଜେଏମଏଫସି କୋର୍ଟ ସ୍ଥାପନ ପାଇଁ ଜିଲା ଦୌରାଜଜ୍ ପ୍ରଦ୍ୟୁମ୍ନ କୁମାର ନାୟକ କ୍ଷେତ୍ର ପରିଦର୍ଶନ କରିଛନ୍ତି । ତିହିଡ଼ିରେ କୋର୍ଟ ସ୍ଥାପନ ପାଇଁ ଦୀର୍ଘଦିନ ଧରି ଦାବି ହୋଇଆସୁଥିଲା । ମାନ୍ୟବର ହାଇକୋର୍ଟ ୨୦୧୭ ମସିହାରେ ତିହିଡ଼ିରେ କୋର୍ଟ ସ୍ଥାପନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ପରେ କୋର୍ଟ ସ୍ଥାପନ ପାଇଁ ଭାଟପଡ଼ା ପଞ୍ଚାୟତ ଅଧୀନ ବଉଳପାଳ ନଟକରେ ଥିବା ୨ଏକର ୩୦ ଡିସ୍ମିଲ ବିଶିଷ୍ଟ ବଣବଣା ପଡ଼ିଆରେ ସ୍ଥାନ ଚିହ୍ନଟ କରାଯାଇଥିଲା । କୋର୍ଟ ନିର୍ମାଣ କାର୍ଯ୍ୟର ବିଳମ୍ବ ହେଉଥିବାରୁ ଯଥା ଶୀଘ୍ର କୋର୍ଟ କାର୍ଯ୍ୟକ୍ଷମ କରିବା ନେଇ ଓକିଲ ସଂଘ ଓ ସାଧାରଣରେ ଦାବି ହୋଇଥିଲା । ଯେଉଁଥିପାଇଁ ଜିଲା ଦୌରାଜଜ୍ କ୍ଷେତ୍ର ପରିଦର୍ଶନ କରିବା ପରେ ଭାଟପଡ଼ା ପଞ୍ଚାୟତର ରାଜୀବଗାନ୍ଧୀ ସେବାକେନ୍ଦ୍ରରେ ଅସ୍ଥାୟୀ ଭାବେ କୋର୍ଟ କାର୍ଯ୍ୟକ୍ଷମ କରିବାକୁ ପ୍ରଶାସନକୁ ପରାମର୍ଶ ଦେଇଥିଲେ ।
ଏହି ପରିଦର୍ଶନ ସମୟରେ କୋର୍ଟ ମ୍ୟାନେଜର କଲ୍ୟାଣ କୁମାର ରାୟ, ରେଜିଷ୍ଟ୍ରାର ଅବକାଶ ଚୌଧୁରୀ, ତହସିଲଦାର ପ୍ରତୀକ କୁମାର ସାହୁ, ରାଜସ୍ୱ ନିରୀକ୍ଷକ ମହେଶ୍ୱର ରଣା, ସରପଞ୍ଚ ଶୁଭ୍ରନାରାୟଣ ସେଠୀ ଉପସ୍ଥିତ ଥିଲେ । ତିହିଡ଼ି ଓକିଲ ସଂଘର ସମ୍ପାଦକ ଆଇନଜୀବୀ ବିଷ୍ଣୁ ଚରଣ ଦାଶ, ଉପସଭାପତି ସତ୍ୟସୁନ୍ଦର ପତି, କୋଷାଧ୍ୟକ୍ଷ ତପନ କୁମାର ମିଶ୍ର, ସହସମ୍ପାଦକ ତଥା ସରକାରୀ ଓକିଲ ଗୌରହରି ମହାନ୍ତି, ରତିକାନ୍ତ ନାଥ, ସୁବାସ ବେହେରା, ନାରାୟଣ ବେହେରା, ବସନ୍ତ ନାୟକ, ଅବନୀ ବଳ, ସଂଜୟ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଯଥାଶୀଘ୍ର କୋର୍ଟ ଖୋଲିବା ନେଇ ଜିଲ୍ଲା ଦୌରୋଜଜ୍ଙ୍କୁ ଅନୁରୋଧ କରିଥିଲେ ।
