ଖାଉଟିଙ୍କୁ ୨ଟି ପର୍ଯ୍ୟାୟରେ ଚାଉଳ ବଣ୍ଟନ ନେଇ ଅସନ୍ତୋଷ
ତିହିଡ଼ି : ସରକାର ଖାଉଟି ମାନଙ୍କୁ ୨ଟି ପର୍ଯ୍ୟାୟରେ ମାସିକ ଚାଉଳ ବଣ୍ଟନ କରୁଛନ୍ତି । ପ୍ରଥମ ପର୍ଯ୍ୟାୟରେ ୮୦ ପ୍ରତିଶତ ଓ ଦ୍ୱିତୀୟ ପର୍ଯ୍ୟାୟରେ ୨୦ ପ୍ରତିଶତ ଚାଉଳ ବଣ୍ଟନ କରିବାକୁ ରିଟେଲରମାନଙ୍କୁ ଦେଉଛନ୍ତି । ଏହି ୨ଟି ପର୍ଯ୍ୟାୟରେ ଚାଉଳ ବଣ୍ଟନ କରାଯିବାକୁ ନେଇ ଖାଉଟିମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ପଞ୍ଚାୟତର ରିଟେଲରମାନେ ପ୍ରଥମ ପର୍ଯ୍ୟାୟରେ ସବ୍ହୋଲସେଲରଙ୍କ ନିକଟରୁ ୮୦ ପ୍ରତିଶତ ଚାଉଳ ନେଇ ଖାଉଟିମାନଙ୍କୁ ଦେଉଛନ୍ତି । ଏହି ୮୦ ପ୍ରତିଶତ ଚାଉଳ କିଛି ଖାଉଟି ପାଉଥିବା ବେଳେ ଆହୁରି କେତେକ ଖାଉଟି ଚାଉଳ ପାଇବାରୁ ବଂଚିତ ହେଉଛନ୍ତି । ଖାଉଟିମାନେ ରିଟେଲରମାନଙ୍କୁ ପଚାରିବାରୁ ରିଟେଲରମାନେ ପ୍ରଥମ ପର୍ଯ୍ୟାୟରେ ଆସିଥିବା ଚାଉଳ ସରିଯାଇଛି, ପୁଣି ଚାଉଳ ଆସିଲେ ଦିଆଯିବ ବୋଲି ଉତ୍ତର ଦେଉଛନ୍ତି । ଯାହାଫଳରେ ରିଟେଲରମାନେ ଖାଉଟିମାନଙ୍କର ଅଯଥା ଆକ୍ରୋଶର ଶିକାର ହେଉଛନ୍ତି । ଅପରପକ୍ଷେ ପ୍ରଥମ ପର୍ଯ୍ୟାୟର ଯେଉଁ ଖାଉଟି ଚାଉଳ ପାଉଛନ୍ତି ସେମାନେ ନିଜର ଆବଶ୍ୟକତାକୁ ପୂରଣ କରୁଥିବା ବେଳେ ଯେଉଁ ଖାଉଟିମାନେ ଚାଉଳ ପାଇ ପାରୁନାହାନ୍ତି ସେମାନେ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ସରକାର ପ୍ରଥମ ପର୍ଯ୍ୟାୟର ଚାଉଳକୁ ଯେଉଁ ତାରିଖରେ ଦେଉଛନ୍ତି ତାହାର ପାଖାପାଖି ୧୫ଦିନ ପରେ ଦ୍ୱିତୀୟ ପର୍ଯ୍ୟାୟ ଚାଉଳ ଦେଉଛନ୍ତି । ପ୍ରଥମ ପର୍ଯ୍ୟାୟ ଓ ଦ୍ୱିତୀୟ ପର୍ଯ୍ୟାୟର ବ୍ୟବଧାନ ଅଧିକ ରହୁଥିବାରୁ ଖାଉଟିମାନେ ଦ୍ୱିତୀୟ ପର୍ଯ୍ୟାୟ ଚାଉଳ ପାଇ ପାରିବେକି ନାହିଁ ସେମାନଙ୍କ ମଧ୍ୟରେ ମଧ୍ୟ ସନ୍ଦେହ ଜାତ ହେଉଛି । ତେବେ ସରକାର ୧୦୦ ପ୍ରତିଶତ ଚାଉଳ ଗୋଟିଏ ପର୍ଯ୍ୟାୟରେ ଖାଉଟିମାନଙ୍କୁ ବଣ୍ଟନ କରିବାକୁ ଖାଉଟିମାନଙ୍କ ପକ୍ଷରୁ ଦାବି କରାଯାଇଛି । ଏ ସମ୍ପର୍କରେ ଅତିରିକ୍ତ ଜିଲା ଯୋଗାଣ ଅଧିକାରୀ ଶରତ ଚନ୍ଦ୍ର ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଦୁଇଟି ପର୍ଯ୍ୟାୟରେ ଚାଉଳ ଦେବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ରହିଛି । ସେହି ଅନୁଶାରେ ଚାଉଳ ବଣ୍ଟନ କରାଯାଉଛି ।
