ଦେଉଳା-ଚକରାସାହି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ କାର୍ଯ୍ୟ ନିମ୍ନମାନର ଅଭିଯୋଗ
ତିହିଡ଼ି : ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ନିର୍ମାଣ ହେଉଥିବା ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ଦେଉଳା-ଚକରାସାହି ଭାୟ ଦହପାଣିଆ ଏବଂ ଗୁଡ଼ୁପାଳ ରାସ୍ତା କାର୍ଯ୍ୟ ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି । ଏନେଇ ବାରୋ ପଞ୍ଚାୟତର ସରପଞ୍ଚ ଉଦ୍ଧବ ଚରଣ ନାୟକଙ୍କ ସମେତ ରମାକାନ୍ତ ମଳିକ, ସୀତାକାନ୍ତ ମଳିକ, ବଳରାମ ମଳିକ, ସତ୍ୟନାରାୟଣ ବାରିକ, ରଘୁନାଥ ମଳିକ, ରମେଶ ଚନ୍ଦ୍ର ନାୟକ, ଜଳଧର ମଳିକ, ଉଦ୍ଧବ ମହାଳିକ, ଅକ୍ଷୟ ବିଶ୍ୱାଳ, ପ୍ରଶାନ୍ତ ମଳିକ, ଅନାଦି ମଳିକ ପ୍ରମୁଖ ପଞ୍ଚାୟତବାସୀ ଗ୍ରାମ୍ୟ ଉନ୍ନୟନ ବିଭାଗ ସଚିବଙ୍କୁ ଅଭିଯୋଗ କରିବା ସହ ତୁରନ୍ତ କ୍ଷେତ୍ର ପରିଦର୍ଶନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ଅଭିଯୋଗରୁ ପ୍ରକାଶରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ୨କୋଟି ୨୧ଲକ୍ଷ ଟଙ୍କା ବ୍ୟୟ ଅଟକରେ ତିହିଡ଼ି ବ୍ଲକ ଅଧୀନ ଦେଉଳା-ଚକରାସାହି ଭାୟ ଦହପାଣିଆ ଏବଂ ଗୁଡ଼ୁପାଳ ୪କି.ମି. ୭୫୦ ମିଟର ରାସ୍ତା ନିର୍ମଣ କାର୍ଯ୍ୟ ଆରମ୍ଭ ହୋଇଛି । ଏହି ରାସ୍ତାରେ ମାଟି ପକାଇବା ପରିବର୍ତ୍ତେ ପଙ୍କ ପକାଯାଉଛି । ଏଥି ସହ ଦହପାଣିଆ ଠାରେ ଆରନାଳ ଉପରେ ନିର୍ମାଣ କରାଯାଉଥିବ ପୋଲଟି ନିମ୍ନମାନର କାର୍ଯ୍ୟ ହେଉଛି । ପୋଲ ପାଇଁ ୬ଇଞ୍ଚର କଂକ୍ରିଟ କାର୍ଯ୍ୟ କରାଯିବାକୁ ଅଟକଳ ହୋଇଥିଲା ବେଳେ ଏହାକୁ ୩ ଇଞ୍ଚ କଂକ୍ରିଟ୍ କରାଯାଉଛି । ଏଥିରେ କାଦୁଆ ବାଲି ବ୍ୟବହୃତ ହେଉଥିବା ଅଭିଯୋଗରେ ଦର୍ଶାଯାଇଛି । ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ଗ୍ରାମବାସୀମାନେ ଗୁରୁବାର ଏହି କାର୍ଯ୍ୟ ବନ୍ଦ କରିଥିବା ଜଣାଯାଇଛି । ଏ ସମ୍ପର୍କରେ ଗ୍ରାମ ଉନ୍ନୟନ ବିଭାଗ କନିଷ୍ଠଯନ୍ତ୍ରୀ ହୃଷିକେଶ ପ୍ରତିହାରୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, କାର୍ଯ୍ୟ ନିମ୍ନମାନର ହେଉଥିଲେ ତାହାକୁ ବନ୍ଦ କରାଯିବା ସଂପୃକ୍ତ ଠିକାଦାରଙ୍କ ବିରୋଧରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
