ବାଲିଯାତ୍ରା ଭିତ୍ତିଭୂମି ପ୍ରସ୍ତୁତିରେ ସିଏମସି ମହାଦୁର୍ନୀତିର ତଦନ୍ତ ଦାବି
କଟକ : କଟକ ମହାନଗର ନିଗମ(ସିଏମସି) ଦୁର୍ନୀତିର ଗନ୍ତାଘର ଭାବେ ବେଶ ଦୀର୍ଘ ବର୍ଷର ପରିଚିତି ରହିଛି । ଗତ ବାଲିଯାତ୍ରାର ଭିତ୍ତିଭୂମି ପ୍ରସ୍ତୁତିରେ ସିଏମସି ପକ୍ଷରୁ ସିଭିଲ କାମ ପାଇଁ ୨ କୋଟି ୯୧ ଲକ୍ଷ ୭୩ ହଜାର ୭୫୦ ଟଙ୍କା ଥିଲା ବେଳେ ବିଦ୍ୟୁତ କାମ ପାଇଁ ୭୯ ଲକ୍ଷ ୫୮ ହଜାର ୯୮୪ ଟଙ୍କା ମୋଟ ୩ କୋଟି ୭୧ ଲକ୍ଷ ୩୨ ହଜାର ୭୩୪ ଟଙ୍କା ବ୍ୟୟ କରାଯାଇଛି । ୨ ଲକ୍ଷରୁ ଅଧିକ ଟଙ୍କାର କାମ ପାଇଁ ଅନଲାଇନ ଟେଣ୍ଡର ମାଧ୍ୟମରେ କାର୍ଯ୍ୟ କରାଯିବାର ବିଭାଗୀୟ ନିର୍ଦ୍ଦେଶ ଥିବା ସତ୍ୱେ ଟେଣ୍ଡର କରାନଯାଇ କିଛି ହାତଗଣତି ବ୍ୟକ୍ତିବିଶେଷ ଓ ସଂସ୍ଥା ଜରିଆରେ କାମ କିଭଳି କରାଗଲା ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି । ଆର୍ଥକ ଅନିୟମିତତା ଏବଂ ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷଙ୍କ ପ୍ରତି ମାତ୍ରାଧିକ ଦୁର୍ବଳତା, ଅନୁକମ୍ପାର ପର୍ଦ୍ଦାଫାସ ପାଇଁ କଂଗ୍ରେସ କର୍ପୋରେଟର ସନ୍ତୋଷ କୁମାର ଭୋଳଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳି ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଶୁଭାଶିଷ କୁମାର ପଟ୍ଟନାୟକ, ସ୍ୱର୍ଣ୍ଣପ୍ରଭା ପଶାୟତ, ଗିରିବାଳା ବେହେରା, କେଦାର ପୃଷ୍ଟି, ବଟକୃଷ୍ଣ ସାହୁ, ଭାନୁ ସେନାପତି, ଲିଜା ରାଉତ ଓ ଜେ କାମେଶ ରାଓ ପ୍ରମୁଖ ଉପସ୍ଥିତ ଥିଲେ ।
