ଅଧୀକ୍ଷଣ ଯନ୍ତ୍ରୀ ଖଣ୍ଡ କଟକଙ୍କ କାର୍ଯ୍ୟାଳୟରେ ଉନ୍ନୟନ କାର୍ଯ୍ୟ ଠପ୍
କଟକ : ଜନସ୍ୱାସ୍ଥ୍ୟ ବିଭାଗର ନୂଆବଜାର ସ୍ଥିତ କଟକ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ବିଭିନ୍ନ ଅନିୟମିତତା ପାଇଁ ଜଳ ଯୋଗାଣ ସମ୍ବନ୍ଧୀୟ ଉନ୍ନୟନ ମୂଳକ କାର୍ଯ୍ୟ ଏବେ ସଂପୂର୍ଣ୍ଣ ଠପ୍ ହୋଇଯାଇଛି । କୈାଣସି କାର୍ଯ୍ୟର ଟେଣ୍ଡର ନ କରି ଭାଗ ଭାଗ କରି କେ-୨ ଜରିଆରେ ଲକ୍ଷାଧିକ ଟଙ୍କା ତୋଷାରପାତ କରୁଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗ ଖୋଦ୍ ବିଭାଗୀୟ ମୁଖ୍ୟଯନ୍ତ୍ରୀ, ସଚିବ, ମୁଖ୍ୟମନ୍ତ୍ରୀ ଓ ୫-ଟି ସଚିବଙ୍କୁ ଅବଗତ କରାଯାଇଛି । ମିଳିଥିବା ସୂଚନା ଅନୁସାରେ, ଜନସ୍ୱାସ୍ଥ୍ୟ ବିଭାଗର ନୂଆବଜାର ସ୍ଥିତ କଟକ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ମୌଖିକ ଭାବେ ଠିକାଦାରଙ୍କୁ କାର୍ଯ୍ୟ ଦେଇ ଠିକାଦାରମାନେ କାର୍ଯ୍ୟଟିକୁ ସଂପୂର୍ଣ କରିସାରିବା ପରେ ଗୋପନୀୟ ଭାବେ ଟେଣ୍ଡର କରାଇ ପିଛିଲା ତାରିଖ ପକାଇ କାର୍ଯ୍ୟାଦେଶ ଦେଉଥିଲେ । ତେବେ ଏହା ଜଣାପଡିବା ପରେ ଏବେ କାର୍ଯ୍ୟସବୁକୁ ବାତିଲ କରି ଦିଆଯାଇଛି । ଏଥିପାଇଁ ସରକାରଙ୍କ ଦ୍ୱାରା କରାଯାଇଥିବା ବହୁ ଉନ୍ନୟନ କାର୍ଯ୍ୟରେ ବାଧା ଉପୁଜୁଛି । ଟେଣ୍ଡର ପେପର ବିକ୍ରି ବାବଦରେ ନୋଟିସ୍ ବୋର୍ଡରେ, ଇ-ଡେସ୍ପାଚ ମାଧ୍ୟମରେ କୌଣସି ନିକଟସ୍ଥ କାର୍ଯ୍ୟାଳୟକୁ ଦିଆଯାଉ ନାହିଁ । ସେହିପରି ଅଧୀକ୍ଷଣ ଯନ୍ତ୍ରୀ ନିଜେ ବସୁଥିବା ଅଫିସରେ ପର୍ଯ୍ୟାପ୍ତ ପରିମାଣରେ କର୍ମଚାରୀ ଥାଇ ମଧ୍ୟ କୌଣସି ନିର୍ଦ୍ଦେଶନାମା ନ ଥାଇ ଅବସରପ୍ରାପ୍ତ କିରାଣି ଓ ତାଙ୍କ ଝିଅ, ଜ୍ୱାଇଁ ଏବଂ ଅନ୍ୟ ୬ ଜଣଙ୍କୁ ନିଜ ଅଫିସରେ ବସାଇ ମାସିକ ଲକ୍ଷାଧିକ ଟଙ୍କା ତୋଷରପାତ କରୁଥିବା ଅଭିଯୋଗ କରାଯାଇଛି । ଗତ ଜୁଲାଇ ମାସରେ ଅଧୀକ୍ଷଣ ଯନ୍ତ୍ରୀ ନବ କିଶୋର ସାମଲ ଟେଣ୍ଡର ଠକେଇ ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବିତ ହେଲା ପରେ ମଧ୍ୟ ବର୍ତ୍ତମାନର ଅଧୀକ୍ଷଣ ଯନ୍ତ୍ରୀ ତାଙ୍କରି ପଦାଙ୍କ ଅନୁସରଣ କରି ପୂର୍ବପରି ଦୁର୍ନୀତିରେ ଲିପ୍ତ ରହୁଛନ୍ତି । ଅଧୀକ୍ଷଣ ଯନ୍ତ୍ରୀ ମାତ୍ର ୨ ରୁ ୩ ଘଂଟା ଅଫିସ କରି ଭୁବନେଶ୍ୱର ପଳାଉଛନ୍ତି । ଉଲ୍ଲେଖ ଯୋଗ୍ୟ ଯେ, ୨୦ ବର୍ଷରୁ ଊର୍ଦ୍ଧ୍ୱ ଏଠାରେ ରହିଥିବା କିଛି ଅସାଧୁ କର୍ମଚାରୀଙ୍କୁ ଅଧୀକ୍ଷଣ ଯନ୍ତ୍ରୀ ହାତବାରିସୀ କରି ବିଭିନ୍ନ ଦୁର୍ନୀତି କରୁଥିବା ନେଇ ଏ ସଂପର୍କରେ ତଦନ୍ତ ପାଇଁ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗର ନିର୍ଦ୍ଦେଶକଙ୍କୁ ଅନୁରୋଧ କରାଯାଇଛି ।
