ଖାଦ୍ୟ ସୁରକ୍ଷା ବିଭାଗର ଚଢଉ, ୧୦ ହୋଟେଲର ଖାଦ୍ୟ ମାନ ଯାଂଚ
କଟକ : କଟକ ମହାନଗର ନିଗମ(ସିଏମସି) ପକ୍ଷରୁ ଅସ୍ୱାସ୍ଥ୍ୟକର ଓ ନିକୃଷ୍ଟମାନର ଖାଦ୍ୟ ବିକ୍ରି ରୋକିବା ପାଇଁ ଚାଲିଥିବା ଚଢଉ ଅଭିଯାନରେ ଆଜି ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ପୁରୀଘାଟ ଛକ ଠାରୁ ଚୈାଧୁରୀବଜାର ପର୍ଯ୍ୟନ୍ତ ଥିବା ହୋଟେଲ ଓ ରେଷ୍ଟୁରାଣ୍ଟ ଗୁଡିକରେ ଖାଦ୍ୟ ଯାଂଚ କରାଯାଇଥିଲା । ପ୍ରାୟ ୧୦ଟି ହୋଟେଲ ଓ ରେଷ୍ଟୁରାଣ୍ଟର ଖାଦ୍ୟ ଯାଂଚ କରାଯାଇ ସେଗୁଡିକର ମାନ ପରୀକ୍ଷା କରାଯିବା ସହ ଖାଦ୍ୟ ଷ୍ଟୋରେଜ୍ର ବ୍ୟବସ୍ଥା ମଧ୍ୟ ଯାଂଚ କରାଯାଇଥିଲା । ସେହିପରି ଲାଇସେନ୍ସ ଓ କାଗଜପତ୍ର ତନଖି କରାଯିବା ସହ ନଥିପତ୍ର ଓ ଲାଇସେନ୍ସ ଠିକ ନଥିବା ଦୋକାନୀମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା । ବିଶେଷକରି ଆଗାମୀ ଦିନରେ ଦୋକାନୀମାନେ କିଭଳି ସତେଜ ଓ ଉନ୍ନତମାନର ଖାଦ୍ୟ ବିକ୍ରି କରିବେ ସେଥିନେଇ ଦୋକାନୀମାନଙ୍କୁ ଏକ କାର୍ଯ୍ୟକ୍ରମ ଜରିଆରେ ସଚେତନ କରାଯାଇଥିଲା । ସହର ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ର, ଖାଦ୍ୟ ସୁରକ୍ଷା ଅଧିକାରୀ ବିଭାସ ମଜୁମଦାର ପ୍ରମୁଖ ଏହି ଅଭିଯାନର ନେତୃତ୍ୱ ନେଇଥିଲେ ।
