କର୍କଟ ରୋଗ ଉପରେ ସଚେତନତା କାର୍ଯ୍ୟକ୍ରମ
କଟକ : ଇନରହୁଇଲ କ୍ଲବ ଅଫ ଭୁବନେଶ୍ୱର ରୟାଲ ପକ୍ଷରୁ ରୋଟାରୀ ଭବନଠାରେ ଜରାୟୁ ଦ୍ୱାର କର୍କଟ ରୋଗ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କ୍ଲବର ସଭାପତି ସୁବ୍ରତା ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆଚାର୍ଯ୍ୟ ହରିହାର କ୍ୟାନସର ଗବେଷଣା କେନ୍ଦ୍ରର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ନିରଂଜନ ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜରାୟୁ କର୍କଟ ରୋଗରୁ ରକ୍ଷା ପାଇବା ପାଇଁ କି ପ୍ରକାର ସାବଧାନତା ଦରକାର ସେ ସଂପର୍କରେ ଅବଗତ କରାଇଥିଲେ । ମହିଳାମାନଙ୍କର ବୈବାହିକ ଜୀବନ ପୂର୍ବରୁ ଏହି ଭୂତାଣୁ ସଂକ୍ରମଣ ହୋଇଥିବାରୁ ଏହାକୁ ରୋକିବା ପାଇଁ ଏଚଟିଭି ଟିକା ନେବାର ଆବଶ୍ୟକତା ରହିଛି ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ସୁମିତା ମହାନ୍ତି, ଭାଗ୍ୟଲକ୍ଷ୍ମୀ ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପାପ୍ ପରୀକ୍ଷା ଦ୍ୱାରା ଜରାୟୁ ଦ୍ୱାର କର୍କଟ ରୋଗର ନିରାକରଣ ଉପରେ ଆଲୋକପାତ କରିଥିଲେ । ରୋଟାରିଆନ ତଥା ସିଡିଏ ଅଧ୍ୟକ୍ଷ ଅନିଲ କୁମାର ସାମଲ, ଜିଲ୍ଲା ଇଏସଓ ସନ୍ଧ୍ୟାରାଣୀ ମିଶ୍ର, ପୂର୍ବତନ ସଭାପତି ନିହାରିକା ମିଶ୍ର, ରଶ୍ମିରେଖା ତ୍ରିପାଠୀ, କାଦମ୍ବିନୀ ରଥ, ଲୋପାମୁଦ୍ରା ମିଶ୍ର ପ୍ରମୁଖ ଜରାୟୁ ଦ୍ୱାର କର୍କଟ ରୋଗର ନିରାକରଣ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ କର୍କଟ ରୋଗୀମାନଙ୍କୁ ୫ ହଜାର ଟଙ୍କା ଲେଖାଏଁ ଆର୍ôଥକ ସହାୟତା ରାଶି ପ୍ରଦାନ କରାଯାଇଥିଲା ।
