ଅବକାରୀ ଚଢଉ ୫୭ କେଜି ଗଞ୍ଜେଇ ସହ କାର ଜବତ, ଦୁଇ ଗିରଫ
କଟକ : ରାଜ୍ୟ ଅବକାରୀ ବିଭାଗର କଟକ ମୋବାଇଲ ଟିମ୍ର କର୍ମଚାରୀମାନେ ଆଜି ତ୍ରିଶୁଳିଆଠାରେ ଚଢଉ କରି ଏକ ମାରୁତି କାରରୁ ୫୭ କେଜି ଗଞ୍ଜେଇ ଜବତ କରିବାରେ ସକ୍ଷମ ହୋଇଛନ୍ତି । ଏହି ଚୋରା କାରବାରରେ ସଂପୃକ୍ତ ୨ ଜଣ ଅସାଧୁ ବେପାରୀଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତଦ୍ୱୟ ହେଲେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ସିଦ୍ଧାର୍ଥନଗରର ବି. ସୁନିଲ କୁମାର ଦୋରା(୩୮) ଓ ସେହି ଜିଲ୍ଲା ପୁରୁଷୋତ୍ତମପୁରର ଜିତୁ ନାହାକ(୨୯) । ଏକ ଗୁପ୍ତ ସୂଚନାକୁ ଆଧାର କରି ରାଜ୍ୟ ଅବକାରୀ ଆୟୁକ୍ତ ଆଶିଷ କୁମାର ସିଂହ ଓ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ବିଭାଗ ମୋବାଇଲ ଟିମ୍ ତ୍ରିଶୁଳିଆ ଛକଠାରେ ଜଗି ରହିଥିଲେ । ଗଞ୍ଜେଇ ଚାଲାଣ ହେଉଥିବା ମାରୁତି କାରଟି ଛକ ଅତିକ୍ରମ କରୁଥିଲା ବେଳେ କାର୍କୁ ଅଟକାଇ ତଲାସୀ କରିଥିଲେ । ତଲାସୀ ବେଳେ କାରରୁ ୩ଟି ବସ୍ତାରେ ଥିବା ୫୭ କେଜି ଗଞ୍ଜେଇ ମିଳିଥିଲା । କର୍ମଚାରୀମାନେ ଗଞ୍ଜେଇ ଓ ଗାଡିଟିକୁ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଥିଲେ । ଆଜି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି । ଜବତ ଗଞ୍ଜେଇର ମୂଲ୍ୟ ୫ ଲକ୍ଷ ୫୭ ହଜାର ଟଙ୍କା ହେବ ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଅବକାରୀ ଅଧୀକ୍ଷକ ଦେବାଶିଷ ପଟେଲଙ୍କ ନେତୃତ୍ୱରେ ଏହି ଚଢଉରେ ଇନ୍ସପେକ୍ଟର ସଂଜିତ ବାର୍ଲା, ଏସଆଇ ଅଜିତ କୁମାର ପାତ୍ର, ଏଏସଆଇ ହେମନ୍ତ କୁମାର ମଲ୍ଲିକ, ନିର୍ମଳ କୁମାର ବେହେରା, ଗଜାନନ ବେହେରା, ମନ୍ମଥ ସିଂହ, ରମାକାନ୍ତ ରାଉତ, ରଂଜନ କୁମାର ଭୋଲ ପ୍ରମୁଖ ସାମିଲ ଥିଲେ ।
