ଘରୋଇକରଣ ଓ ଶ୍ରମିକ ବିରୋଧୀ ନୀତି ବିରୋଧରେ କାନାରା ବ୍ୟାଙ୍କ କର୍ମଚାରୀ ସଂଘର ଆହ୍ୱାନ
କଟକ : ବ୍ୟାଙ୍କର ଘରୋଇକରଣ, ରାଷ୍ଟ୍ରାୟତ୍ତ ଉଦ୍ୟୋଗର ବିକ୍ରୟ ଏବଂ ଶ୍ରମିକ ବିରୋଧ ନୀତି ବିରୁଦ୍ଧରେ ଏଆଇବିଇଏ ଓ ଭାରତବର୍ଷର ଶ୍ରମିକ କର୍ମଚାରୀ ସଂଗଠନମାନେ ଚଳାଇଥିବା ସଂଗ୍ରାମକୁ ଆହୁରି ଜୋରଦାର କରିବାକୁ କାନାରା ବ୍ୟାଙ୍କ କର୍ମଚାରୀ ସଂଘ ଓଡିଶା ରାଜ୍ୟ କମିଟିର ୧୦ତମ ରାଜ୍ୟ ସମ୍ମିଳନୀକୁ ଉଦଘାଟନ କରି ସର୍ବଭାରତୀୟ ସାଧାରଣ ସଂପାଦକ କେ ଶ୍ରୀକୃଷ୍ଣା ଆହ୍ୱାନ ଦେଇଛନ୍ତି । ବ୍ୟାଙ୍କ କର୍ମଚାରୀ ଓ ଅଫିସରମାନଙ୍କର ଗତ ଜାନୁଆରୀ ୩୦ ଓ ୩୧ ତାରିଖରେ ଦେଶବ୍ୟାପୀ ଧର୍ମଘଟ ସ୍ଥଗିତ ହୋଇଛି । କେନ୍ଦ୍ର ଅର୍ଥ ମନ୍ତ୍ରୀ ଦାବିଗୁଡିକ ପୂରଣ କରିବାର ପ୍ରତିଶ୍ରୁତି ଦେଇଛନ୍ତି । ଏଆଇବିଇଏର ସଠିକ ନେତୃତ୍ୱ ଓ ସାଂଗଠନିକ ଶକ୍ତି ଯୋଗୁ ଏହା ସମ୍ଭବ ହୋଇଛି ବୋଲି ଏଆଇବିଇଏର ଯୁଗ୍ମ ସଂପାଦକ ଅନିରୁଦ୍ଧ କୁମାର କହିଥିଲେ । କାନାରା ବ୍ୟାଙ୍କର ଭୁବନେଶ୍ୱର ମଣ୍ଡଳର ସହକାରୀ ମହାପ୍ରବନ୍ଧକ ଜି ରୁଦ୍ରାଚାରୀ ସମ୍ମିଳନୀକୁ ଶୁଭେଚ୍ଛା ଜଣାଇବା ସହ ବ୍ୟାଙ୍କର ବିକାଶ ପାଇଁ ସମସ୍ତେ ଆଗେଇ ଆସିବାକୁ ନିବେଦନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଡିଶା ବ୍ୟାଙ୍କ କର୍ମଚାରୀ ସଂଘର ସାଧାରଣ ସଂପାଦକ ପ୍ରଫୁଲ୍ଲ କୁମାର ତ୍ରିପାଠୀ, ଏଆଇବିଇଏର ଯୁଗ୍ମ ସଂପାଦକ ଅନିରୁଦ୍ଧ କୁମାର, କୋଷାଧ୍ୟକ୍ଷ ସି ଏସ ଭେନୁଗୋପାଲ, ଏଆଇଟିୟୁସିର ରାଜ୍ୟ ସଂଯୋଜକ କିଶୋର ଜେନାଙ୍କ ସମେତ ବିଭିନ୍ନ ବ୍ୟାଙ୍କ ଓ ବୀମା କର୍ମଚାରୀ ସଂଘର ନେତୃବୃନ୍ଦ ଉଦବୋଧନ ଦେଇଥିଲେ । ଏହି ସମ୍ମିଳନୀରେ ବ୍ୟାଙ୍କ ଘରୋଇକରଣ ବନ୍ଦ, ଶ୍ରମ କୋର୍ଡ ବାତିଲ, ବ୍ୟାଙ୍କ ସେବାକୁ ତ୍ୱରାନ୍ୱିତ କରିବା ପାଇଁ ସମସ୍ତ ଖାଲି ପଦ ପୂରଣ ସହ ସଫେଇ କର୍ମଚାରୀ ଓ ସବ ଷ୍ଟାଫ ପଦର ପୂରଣ ଏବଂ ବ୍ୟାଙ୍କର କର୍ପୋରେଟ୍ ଋଣ ଖିଲାପକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ସହ ତୁରନ୍ତ ବ୍ୟାଙ୍କ କର୍ମଚାରୀ ବେତନ ସମ୍ବନ୍ଧୀୟ ଦ୍ୱିପାକ୍ଷିକ ରାଜିନାମା ଆରମ୍ଭ କରି ଚୂଡାନ୍ତ କରିବା ଆଦି ପ୍ରସ୍ତାବ ଗୃହୀତ ହୋଇଥିଲା । ଆସନ୍ତା ଥର ପାଇଁ ଅଧ୍ୟକ୍ଷ ରୂପେ ଅରୁଣ କୁମାର ତ୍ରିପାଠୀ, ରାଜ୍ୟ ସଂପାଦକ ରୂପେ ଶୁଭ୍ରାଂଶୁ ଶତପଥୀ, ୬ ଜଣ ଉପାଧ୍ୟକ୍ଷ, ୮ ଜଣ ସହ ସଂପାଦକ ଏବଂ ୨୨ ଜଣଙ୍କୁ ରାଜ୍ୟ କମିଟିକୁ ସର୍ବସମ୍ମତିକ୍ରମେ ମନୋନୀତ କରାଯାଇଥିଲା । ଏହି ସମ୍ମିଳନୀରେ ସମସ୍ତ ଶାଖାରୁ ପ୍ରାୟ ୫୦୦ରୁ ଊର୍ଦ୍ଧ୍ୱ କର୍ମଚାରୀ ଯୋଗଦେଇଥିଲେ ।
