କଲେକ୍ଟୋରେଟ ଓ ଆରଡିସିଙ୍କ କାର୍ଯ୍ୟାଳୟ କର୍ମଚାରୀଙ୍କ ମଧ୍ୟରେ କ୍ରିକେଟ ମ୍ୟାଚ
କଟକ : କଟକ କଲେକ୍ଟୋରେଟ୍ ଓ କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତଙ୍କ କାର୍ଯ୍ୟାଳୟର କର୍ମଚାରୀମାନଙ୍କ ମଧ୍ୟରେ ଇନଡୋର ଷ୍ଟାଡିୟମଠାରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶିବ ଟୋପୋ ଯୋଗଦେଇ ମ୍ୟାଚ ଉଦଘାଟନ କରିଥିଲେ । ଜିଲ୍ଲା କ୍ରୀଡା ଅଧିକାରୀ ରଶ୍ମିରଂଜନ ସାମନ୍ତରାୟ ପ୍ରଥମେ ବଲ ପକାଇ ଖେଳ ଆରମ୍ଭ କରିଥିଲେ । ୧୨ ଓଭର ବିଶିଷ୍ଟ ଏହି ମ୍ୟାଚରେ ରାଜେଶ ସୁବୁଦ୍ଧିଙ୍କ ଅଧିନାୟକତ୍ୱରେ ଟସ୍ ଜିତି ପ୍ରଥମେ କଲେକ୍ଟୋରେଟ୍ ଏକାଦଶ ବ୍ୟାଟିଂ କରି ୯୭ ରନ୍ ସଂଗ୍ରହ କରିଥିଲା । ପ୍ରମୋଦ କୁମାର ଓଝାଙ୍କ ନେତୃତ୍ୱରେ ଆରଡିସି ଏକାଦଶ ଶେଷ ଓଭରରେ ଦୁଇଟି ବଲ୍ ବାକି ଥାଇ ବିଜୟ ଲାଭ କରିଥିଲା । ମ୍ୟାଚ ପରେ ପ୍ରଶାସନିକ ଅଧିକାରୀ ଅଂଜଳି ରାଉତରାୟ ପୁରସ୍କାର ପ୍ରଦାନ କରିଥିଲେ । ଆସିଷ୍ଟାଣ୍ଟ କଲେକ୍ଟର ତଥା ପୂର୍ବତନ ସଭାପତି ବିଶ୍ୱମୋହନ ମହାପାତ୍ର ଉଦଯାପନୀ ଅଭିଭାଷଣ ପ୍ରଦାନ କରିଥିଲେ ।
