ଅଶୋକ ମହାନ୍ତି ଥିଲେ ସୃଜନକଳାର ମହମହ ମହକ, ‘ତ୍ୟାଗଭୂମି’ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା
ଭଦ୍ରକ : ‘ପ୍ରିୟତମା’ରୁ ‘ଚୁପ୍ ଚୁପ୍ ଚୌପଦୀ’ ଓ ‘ବେକାର ଜୀବନ କାହାଣୀ’ରୁ ‘ଧୌତ ଚିତ୍ରକଳା’ ଯାଏ ପ୍ରଲମ୍ବିତ ଥିଲା କବି ଓ ଚିତ୍ରଶିଳ୍ପୀ ଅଶୋକ କୁମାର ମହାନ୍ତିଙ୍କ ସୃଜନ ସମ୍ଭାର । ଉଭୟ କବିତା ଓ ଚିତ୍ରକଳା ଜଗତର ସେ ଥିଲେ ଅନୁପମ କାରିଗର । ଓଡ଼ିଶାର ବହୁ ସାରସ୍ୱତ ଅନୁଷ୍ଠାନରୁ ତାଙ୍କୁ ଅସାମାନ୍ୟ ସ୍ୱୀକୃତି ମିଳିଥିଲା ଓ ରାଜ୍ୟ ଲଳିତ କଳା ଏକାଡ଼େମୀ ପକ୍ଷରୁ ୨୦୨୦ରେ ସେ ଶିଳ୍ପୀ ସମ୍ବର୍ଦ୍ଧନା ମଧ୍ୟ ପାଇଥିଲେ । ବହୁ ପୁସ୍ତକର ପ୍ରଚ୍ଛଦଶିଳ୍ପୀ ଭାବେ ତାଙ୍କର ରହିଛି ସ୍ୱାକ୍ଷର ଅମଳିନ । ବାସ୍ତବରେ ସେ ଥିଲେ ସୃଜନକଳାର ମହମହ ମହକ ବୋଲି ତ୍ୟାଗଭୂମି ସାଂସ୍କୃତିକ ସମ୍ମେଳନ ପକ୍ଷରୁ ଭଦ୍ରକ ଭାଗବତ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ବିଶିଷ୍ଟ ଚିତ୍ରଶିଳ୍ପୀ ଓ କବି ଅଶୋକ କୁମାର ମହାନ୍ତିଙ୍କ ସ୍ମୃତିଚାରଣ ସଭାରେ ବକ୍ତାମାନେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି । ପ୍ରଥମେ ଦିବଂଗତ ଆତ୍ମାଙ୍କ ଉଦ୍ଦେଶ୍ୟରେ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ତ୍ୟାଗଭୂମି ସମ୍ମେଳନର ସଭାପତି ଅଜୟ ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ମଞ୍ଚାସୀନ ଅତିଥି ଓ ବକ୍ତା ଭାବେ ଇଂରାଜୀ ଭାଷା ସାହିତ୍ୟର ଅବସରପ୍ରାପ୍ତ ପ୍ରାଧ୍ୟାପକ ଗାଳ୍ପିକ ଶୈଳେନ୍ଦ୍ର ମହାପାତ୍ର, ବିଶିଷ୍ଟ ଆଧ୍ୟାତ୍ମିକ ପ୍ରବଚକ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା, ପ୍ରାଧ୍ୟାପକ ଡକ୍ଟର ଶଶଧର ଦାସ, ସ୍ତମ୍ଭକାର ଅଭୟ ଦ୍ୱିବେଦୀ, ନାଟ୍ୟକାର ସୁଧାକର ନନ୍ଦ ଓ ପାଳିଆବିନ୍ଧା କଲେଜ ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପକ ବିଶ୍ୱରଞ୍ଜନ ଦାସ ଯୋଗଦେଇ ସ୍ୱର୍ଗତ ମହାନ୍ତିଙ୍କ ସର୍ଜନକଳା, ଜୀବନଧାରା, ମଣିଷପଣିଆ ଥିଲା ଅତୁଳନୀୟ ଓ ବାସ୍ତବରେ ତ୍ୟାଗଭୂମି ଜଣେ କୃତି ସନ୍ତାନଙ୍କୁ ହରାଇଲା ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡାକ୍ତର ପ୍ରଦୀପ କୁମାର ନାୟକ, ବିଚିତ୍ରାନନ୍ଦ ମହାନ୍ତି, ଶିଳ୍ପୀ ଅଚ୍ୟୁତାନନ୍ଦ ଦାସ, ରୂପକ ବିହାରୀ ରାୟ, ହରିଶ୍ ଦାସ, ଅଧିବକ୍ତା ଗଦାଧର ବଳ, ଡକ୍ଟର ଅଭୟ କୁମାର ଦାସ, ଶିଳ୍ପୀ ରତିକାନ୍ତ ଦାସ, ଶିକ୍ଷାବିତ୍ ଗଗନ ବିହାରୀ ରାଉତ, ଡକ୍ଟର ରାଧାବିନୋଦ ନାୟକ, ଡକ୍ଟର ରାଧାରାଣୀ ମହାପାତ୍ର, ଗବେଷକ ଭାଗବତ ତ୍ରିପାଠୀ, ଅଧ୍ୟାପକ ନିହାର ରଞ୍ଜନ କର, ପବନ ଶର୍ମା, ଲଲାଟେନ୍ଦୁ ମହାନ୍ତି, ପଦ୍ମନ ରାୟ ଓ ସ୍ୱର୍ଗତ ମହାନ୍ତିଙ୍କ କନିଷ୍ଠଭ୍ରାତା ଅଜୟ ମହାନ୍ତି ପ୍ରମୁଖ ଶ୍ରଦ୍ଧାଞ୍ଜଳି ବକ୍ତବ୍ୟ ପ୍ରଦାନ କରିଥିଲେ । ଶିକ୍ଷକ ବୈକୁଣ୍ଠ ବିଶ୍ୱାଳ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ଗୌରାଂଗ ବାରିକ୍, ଚର୍ଚ୍ଚିକା ମହାପାତ୍ର ଓ ଲକ୍ଷ୍ମୀକାନ୍ତ ବାରିକ୍ ସଭା ସଂଚାଳନା କରିଥିଲେ । ତ୍ୟାଗଭୂମି ସାଂସ୍କୃତିକ ସମ୍ପାଦକ ସୁଧାକର ରାଉତ ଶେଷସ୍ପର୍ଶ ପ୍ରଦାନ କରିଥିଲେ ।
