ରୁନୁ ହେଲ୍ଥ କେୟାରକୁ ଅଲଟ୍ରା ସାଉଣ୍ଡ ମେସିନ ସିଲ୍ କଲା ପ୍ରଶାସନ
ତିହିଡ଼ି : ଭଦ୍ରକ ଜିଲ୍ଲା ତିହିଡ଼ି ବଜାରର ବ୍ଲକ ନିକଟରୁ କିଛି ଦୂରରେ ଥିବା ରୁନୁ ହେଲଥ୍ କେୟାରକୁ ଲିଙ୍ଗ ନିରୂପଣ ଅଭିଯୋଗରେ ପ୍ରଶାସନ ଗତ ନଭେମ୍ବର ୧୭ ତାରିଖରେ ସିଲ୍ କରିଥିଲା । ସେତେବେଳେ ଅଲଟ୍ରା ସାଉଣ୍ଡ ମେସିନକୁ ପ୍ରଶାସନ ଠାବ କରିପାରିନଥିଲା । ପରେ ଡିସେମ୍ବର ୮ ତାରିଖରେ ପ୍ରଶାସନ ପକ୍ଷରୁ ଖୋଜ ଖବର ନିଆଯାଇ ସେହି ହେଲ୍ଥକେୟାର ମଧ୍ୟରେ ଥିବା ଅଲଟ୍ରାସାଉଣ୍ଡ ମେସିନକୁ ପ୍ରଶାସନ ସିଲ କରିଥିବା ଜଣାପଡ଼ିଛି । ସରକାର ଲିଙ୍ଗ ନିରୂପଣ ଉପରେ କଟକଣା ଜାରି କରି ବେଆଇନ ଘୋଷଣା କରିଛନ୍ତି । ମାତ୍ର ତିହିଡ଼ିରେ ଥିବା ଏହି ହେଲଥ୍ କେୟାରରେ ଆଳି ଅଂଚଳର ଜଣେ ଡାକ୍ତର ଗତ କିଛିମାସ ହେବ ଲିଙ୍ଗ ନିରୂପଣ କରୁଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ପାଇବା ପରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ରୁନୁ ହେଲଥ୍ କେୟାର ଉପରେ ଚଢ଼ାଉ କରାଯାଇଥିଲା । ଚଢ଼ାଉ ସମୟରେ ହେଲଥ୍ କେୟାର ଭିତରୁ କମ୍ପୁଟର ଏବଂ ଅନ୍ୟାନ୍ୟ ଯନ୍ତ୍ରାଶକୁ ପ୍ରଶାସନ ଜବତ କରିବା ସହିତ ହେଲଥ୍ କେୟାରକୁ ସିଲ୍ କରି ଦେଇଥିଲା । ମାତ୍ର ଅଲଟ୍ରାସାଉଣ୍ଡ ମେସିନ ପାଇ ନଥିଲା । ଏହି ଚଢ଼ାଉରେ ଶିଶୁ ସ୍ୱାସ୍ଥ୍ୟ ବିଭାଗର ଜଏଣ୍ଟ ଡାଇରେକ୍ଟର ଡା. ପ୍ରତିଭା ପ୍ରଧାନ, ଫେସିଲାଇଟେଟର ପିସି ଏଣ୍ଡ ପିଏନଡିଟି ଆକ୍ଟ ଶ୍ରାବଣୀ ଦାସ, ଲିଗାଲ ଆଡ଼ଭାଇଜର ମନୋରଂଜନ ପ୍ରଧାନ, ଅତିରିକ୍ତ ଜିଲା ସ୍ୱାସ୍ଥ୍ୟ ଅଧିକାରୀ ସନ୍ତୋଷ କୁମାର ପୃଷ୍ଟି ଓ ସୁଶାନ୍ତ କୁମାର ରାଉତରାୟ, ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ ଭାବେ ଅତିରିକ୍ତ ତହସିଲଦାର ଅଙ୍କିତା ମହାନ୍ତି ପ୍ରମୁଖ ସାମିଲ ହୋଇଥିଲେ । ଏହି ଚଢ଼ାଉ ପରେ ସମସ୍ତ ଅଲଟ୍ରାସାଉଣ୍ଡ କ୍ଲିନିକ୍ ମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ଏପରି ବେଆଇ କାର୍ଯ୍ୟ କୌଣସି କ୍ଳିନିକ କଲେ ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସୂଚନା ଦିଆଯାଇଛି ।
