ତରଙ୍ଗ ଯୋଗାଯୋଗର ସଶକ୍ତ ମାଧ୍ୟମ ‘ଲାଇ-ଫାଇ (ବିଏନଏମଏ କଲେଜ ପଦାର୍ଥ ବିଜ୍ଞାନ ବିଭାଗର ପାଠଚକ୍ର)
ତିହିଡ଼ି : ୱାଇ-ଫାଇ ଭଳି ତରଂଗ ଯୋଗାଯୋଗଠାରୁ ଅଧିକ ସଶକ୍ତ ଓ ସ୍ୱୟଂପୂର୍ଣ୍ଣ ମାଧ୍ୟମ ହେଉଛି ‘ଲାଇଟ୍ ଫିଡେଲିଟି ବା ‘ଲାଇ-ଫାଇ ଟେକ୍ନୋଲୋଜି । ଏହା ଏଭଳି ଏକ ବେତାର ଅପ୍ଟିକାଲ୍ ନେଟୱାର୍କିଂ ଟେକ୍ନୋଲୋଜି, ଯାହା ତଥ୍ୟ ପଠାଇବା ପାଇଁ ଆଲୋକ ନିର୍ଗତ ଡାୟୋଡ୍ ବା ଏଲଇଡିର ବ୍ୟବହାର କରେ । ୨୦୧୧ ମସିହାରେ ପ୍ରଥମେ ପ୍ରଫେସର ହରାଲ୍ଡ ହାସ୍ ଏହି ଟେକ୍ନୋଲୋଜି ଆବିଷ୍କାର କରି ମନୋରଞ୍ଜନ ଡିଜାଇନ୍ ଓ ଗ୍ଲୋବାଲ୍ ଟକ୍ ଅନ୍ ଭିଜିବଲ୍ ଲାଇଟ୍ କମ୍ୟୁନିକେସନରେ ଏକ ‘ଲାଇ-ଫାଇ\’ ପ୍ରଦର୍ଶନ କରିଥିଲେ । ଏହା ‘ୱାଇ-ଫାଇ\’ଠାରୁ ଉଚ୍ଚାଙ୍ଗ ଓ ଏକ ନିର୍ଭରଯୋଗ୍ୟ ଯୋଗାଯୋଗ ବିତରଣ କରିବାରେ ସମର୍ଥ । ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଏହା ଏକ ଅଭିନବ ସଫଳତା ବୋଲି ସ୍ଥାନୀୟ ପାଳିଆବିନ୍ଧା ସ୍ଥିତ ବିରଞ୍ଚି ନାରାୟଣ ମାଧବ-ଅର୍ଜ୍ଜୁନ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗ ପକ୍ଷରୁ ଆୟୋଜିତ ପାଠଚକ୍ରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ପ୍ରାଣୀବିଜ୍ଞାନ ବିଭାଗ ମୁଖ୍ୟା ଡକ୍ଟର ସ୍ୱପ୍ନା ସାମନ୍ତଙ୍କ ପୌରୋହିତ୍ୟରେ କଲେଜ ଅଧ୍ୟକ୍ଷ ପ୍ରାଧ୍ୟାପକ ଅମୂଲ୍ୟ କୁମାର ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପାଠଚକ୍ର ଉଦଘାଟନ କରିଥିଲେ । ବିଭାଗ ପକ୍ଷରୁ ପ୍ରଥମେ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ପଦାର୍ଥ ବିଜ୍ଞାନ ମୁଖ୍ୟ ଅଧ୍ୟାପିକା ଶୁଭଲକ୍ଷ୍ମୀ କର ସ୍ୱାଗତ ଭାଷଣ ଓ ବିଷୟବସ୍ତୁର ସୂଚନା ପ୍ରଦାନ କରିଥିଲେ । ଛାତ୍ରୀ ଲକ୍ଷ୍ମୀପ୍ରିୟା ବାରିକ୍, ଗାୟତ୍ରୀ ପଲାଇ, କରୀନା ବୀର ଓ ଛାତ୍ର ବିକାଶ କୁମାର ମଲ୍ଲିକ, ଓମପ୍ରକାଶ ମଲ୍ଲିକ ପ୍ରମୁଖ ବିଷୟବସ୍ତୁ ଉପରେ ସ୍ୱରଚିତ ପ୍ରବନ୍ଧ ଉପସ୍ଥାପନ କରିଥିଲେ । ଅଧ୍ୟାପକ ରାଜେନ୍ଦ୍ର ଭୁଏ, ବୈଷ୍ଣବ ମହାନ୍ତି, ବିଭାଗୀୟ ଅଧ୍ୟାପିକା ସୁଲଗ୍ନା ମହାନ୍ତି ତଥା ବିଭାଗର ସମସ୍ତ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ । ବିଭାଗର ପରୀକ୍ଷାଗାର ପ୍ରଶିକ୍ଷକ ଦାଶରଥୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
