୪ ଚେନ୍ ଲୁଟେରା ଗିରଫ
କଟକ : ଜଗତପୁର ଥାନା ପୋଲିସ ୨ ଜଣ ମହିଳାଙ୍କ ସମେତ ୪ ଜଣ ସୁନା ଚେନ୍ ଲୁଟେରାଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଚୈାଦ୍ୱାର ଗୋପାଳନଗରର ପ୍ରଦୀପ ଦାସ ଓ ତାଙ୍କ ପତ୍ନୀ ସବିତା ଦାସ(୩୧), ଦିଲ୍ଲିପ ଦାସ(୩୫) ଓ ତାଙ୍କ ପତ୍ନୀ ବର୍ଷା ଦାସ । ମିଳିଥିବା ସୂଚନା ମୁତାବକ ଗତ ୩୧ ତାରିଖ ରାମନବମୀ ସନ୍ଧ୍ୟାରେ ସ୍ଥାନୀୟ ଇମାମନଗରରେ ରହୁଥିବା କେନ୍ଦ୍ରାପଡା ଛୋଟି ମଙ୍ଗଳପୁରର ଆଶିଷ କୁମାର ମହାରଣା ତାଙ୍କ ପତ୍ନୀ ଓ ଛୋଟ ଝିଅ ସହ ଇମାମନଗର ରାମ ମନ୍ଦିରକୁ ଆସିଥିଲେ । ସେ ଦର୍ଶନ କରୁଥିବା ସମୟରେ କେତେକ ମହିଳା ଓ ପୁରୁଷ ତାଙ୍କ ଆଡକୁ ମାଡି ଆସିଥିଲେ ଓ ଭିଡର ସୁଯୋଗରେ କେହି ତାଙ୍କ ଝିଅର ବେକରୁ ସୁନାର ପଦକ ଛିଡାଇ ନେଇଥିଲେ । ଝିଅ କାନ୍ଦିବାରୁ ସେମାନେ ଝିଅର ବେକରେ ପଦକ ନଥିବା ଦେଖିବାକୁ ପାଇଥିଲେ ଓ ଏନେଇ ଗତ ୧ ତାରିଖ ଅପରାହ୍ନରେ ଅଭିଯୋଗ କରିଥିଲେ । ଜଗତପୁର ଥାନା ପୋଲିସ ୧୫୨/୨୩ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା । ସିସି ଟିଭି ଫୁଟେଜ ଯାଂଚ କରାଯିବା ପରେ ଅଭିଯୁକ୍ତମାନେ କୃତ୍ରିମ ଭିଡ ସୃଷ୍ଟି କରି ଲୁଟ୍ କରୁଥିବା ସାମନାକୁ ଆସିଥିଲା । ଆଜି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।
