ନାବାଳିକା ଅପହରଣ କରି ନାବାଳକ ଗିରଫ
କଟକ : ଜନୈକା ନାବାଳିକାକୁ ଅପହରଣ କରି ନେଇ ବିବାହ କରିଥିବା ଅଭିଯୋଗରେ ଜଗତପୁର ଥାନା ପୋଲିସ ସହପାଠୀ ନାବାଳକକୁ ଗିରଫ କରି ଜୁଭେନାଇଲ ଜଷ୍ଟିସ୍ ବୋର୍ଡରେ ହାଜର କରାଇଛି ଓ ନାବାଳିକାକୁ ଅଭିଭାବକଙ୍କ ଜିମା ଦେଇଛି । ମିଳିଥିବା ସୂଚନା ଅନୁଯାୟୀ ସ୍ଥାନୀୟ ନଜରପୁର ଏକ ବାଳିକା ଜଗତପୁର ଲକ୍ଷ୍ମୀନାରାୟଣ ସାହୁ କଲେଜର +୨ କଳା ପଢୁଥିବା ବେଳେ ଗତ ୬ ତାରିଖ ସନ୍ଧ୍ୟାରେ ମେର୍କେଟ ଯାଇ ଘରକୁ ଫେରିନଥିବା ନେଇ ପିତା ଥନାରେ ଅଭିଯୋଗ କରିଥିଲେ । ତା’ର ସହପାଠୀ ସହ ଏକ ୟାମହା ବାଇକରେ ଯାଇଥିବା ଖବର ପାଇ ସଂପୃକ୍ତ ଛାତ୍ରର ମା’ଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାରୁ ତାଙ୍କ ପୁଅ ଆୟତ୍ତରେ ନଥିବା କହିଥିଲେ । ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା । କୈାଣସି ସୂତ୍ରରୁ ଖବର ପାଇ ନାବାଳିକାକୁ ଗତ ୨୫ ତାରିଖରେ ଧର୍ମଶାଳା ଜାରକାର ଏକ ଭଡାଘରୁ ଉଦ୍ଧାର କରି ଆଣି ବୟାନ ରେକର୍ଡ କରିବା ସହ ଡାକ୍ତରୀ ମାଇନା ପାଇଁ ମନା କରିବାରୁ ସମସ୍ତ ଆଇନଗତ ପଦକ୍ଷେପ ପରେ ଅଭିଭାବକଙ୍କ ଜିମା ଦିଆଯାଇଥିଲା । ଆଜି ସଂପୃକ୍ତ ଛାତ୍ର ଜଗତପୁର କଲେଜ ନିକଟରେ ଥିବାର ଖବର ପାଇ ଚଢଉ କରାଯାଇଥିଲା । ଯାଜପୁର ବୈରୀ ଥାନା ଅନ୍ତର୍ଗତ ସାନବନ୍ଦାଳୋର ଛାତ୍ର ଜଣଙ୍କର ବୟସ ପ୍ରମାଣପତ୍ର ଯାଂଚ ପରେ ସେ ନାବାଳକ ଜଣାପଡିବାରୁ ତାଙ୍କର ଅଭିଭାବକଙ୍କୁ ଯୋଗାଯୋଗ କରାଯାଇଥିଲା । ଉଭତ ଗତ ୬ ତାରିଖରେ ଭୁବନେଶ୍ୱର ଯାଇ ସେଠାରେ ରହିବା ପରେ ୮ ତାରିଖରେ ମନ୍ଦିିରରେ ବିବାହ କରିଥିବା ଜଣାପଡିଥିଲା । ଏହାପରେ ଏକ ସଂପର୍କୀୟଙ୍କ ଘରେ ଜାରକାରେ ଭଡାରେ ରହୁଥିଲେ । ଅଭିଭାବକଙ୍କ ଉପସ୍ଥିତିରେ ତାଙ୍କୁ ଜୁଭେନାଇଲ ଜଷ୍ଟିସ୍ ବୋର୍ଡ ଅଧ୍ୟକ୍ଷଙ୍କ ନିକଟରେ ହାଜର କରାଯାଇଥିଲା ।
