ବିଶିଷ୍ଟ ପରିବେଶବିତ୍ଙ୍କ ପରଲୋକ
କଟକ : କଟକ ଜିଲ୍ଲା ନିବନ୍ଧକ କାର୍ଯ୍ୟାଳୟରେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିବା ସମାଜସେବୀ ଓ ବିଶିଷ୍ଟ ପରିବେଶବିତ୍ ନଟବର ମହାନ୍ତି(୮୦)ଙ୍କର ଆଜି ସକାଳେ ତାଙ୍କ ନିମେଇସାପୁର ବାସଭବନରେ ପରଲୋକ ହୋଇଯାଇଛି । ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ ନର୍ମାଦା, ପୁଅ ନଳିନୀ, ନାରାୟଣକାନ୍ତ, ନିର୍ମଳ, ୩ ଝିଅ ବେବି, ରୁବି ଓ ଝୁନି ଉପସ୍ଥିତ ଥିଲେ । ସ୍ୱର୍ଗତ ନଟବର ସରକାରୀ ଚାକିରି କରିଥିଲେ ହେଁ ନିଜ ଗ୍ରାମର ପରିବେଶ ଓ ତା’ର ସୁରକ୍ଷା ଉପରେ ଗୁରୁତ୍ୱ ଦେଇ ଅନେକ ବୃକ୍ଷ ଲଗାଇ ବେଶ ପ୍ରଶଂସିତ ହୋଇଥିଲେ । ଗ୍ରାମ କମିଟି ସହିତ ସାହି କମିଟିର ସଭାପତି ଭାବେ ସେ ଦୀର୍ଘ ଦିନ ଧରି କାର୍ଯ୍ୟ କରିଛନ୍ତି । ଆଜି ତାଙ୍କର ମୃତ୍ୟୁ ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ପହଂଚି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଆଜି ଗ୍ରାମ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଥିଲା ବଡପୁଅ ନଳିନୀ ମୁଖାଗ୍ନି ଦେଇଥିଲେ ।
