ସର୍ବଧର୍ମ ସମନ୍ୱୟ ପୀଠରେ ଷୋଳ ପୂଜାରମ୍ଭ
କଟକ : ମା’ ଶ୍ୟାମାକାଳୀ ଓ ଦକ୍ଷିଣ କାଳୀଙ୍କ ଷୋଳ ପୂଜା ମୁଳାଷ୍ଟମୀରୁ ସର୍ବଧର୍ମ ସମନ୍ୱୟ ପୀଠ ପ୍ରାଚୀ ଗୁରୁଧର୍ମ କ୍ଷେତ୍ରରେ ଆରମ୍ଭ ହୋଇଛି । ଏହି ପୂଜା ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଆଶ୍ରମର ମୁଖ୍ୟ ପରିଚାଳକ ବାବାଜୀ ଦାମୋଦର ଦାସ ସୂଚନା ଦେଇଛନ୍ତି । ପ୍ରଥମେ ମା’ଙ୍କ ମହାସ୍ନାନ ପର୍ବ ଅନୁଷ୍ଠିତ ପରେ ସୂର୍ଯ୍ୟ ପୂଜା, କଳସପୂଜା, ଦ୍ୱାରପାଳ ପୂଜା କରାଯାଇଥିଲା । ପ୍ରତ୍ୟେକ ଦିନ ଷୋଡଶ ଉପଚାରରେ ପୂଜାର୍ଚ୍ଚନା, ଚଣ୍ଡୀପାଠ ଦୁର୍ଗାଷ୍ଟମୀ ପର୍ଯ୍ୟନ୍ତ କରାଯିବ । ପ୍ରେମାଚାର୍ଯ୍ୟ ବାବା ମଧୁସୂଦନ ମାତୃ ଉପାସକ ଥବା ହେତୁ ୧୯୪୧ ମସିହାରେ ଏହି ଶକ୍ତିପୀଠ ସ୍ଥାପନ କରାଯାଇଥିଲା । ଏଠାରେ ଗୋଟିିଏ ଛାତ ତଳେ ମା’ ଶ୍ୟାମାକାଳୀ ଓ ଦକ୍ଷିଣ କାଳୀ ପୂଜା ପାଉଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଭକ୍ତମାନେ ଆସି ମା’ଙ୍କ ଦର୍ଶନ ସହ ଆଶୀର୍ବାଦ ଲାଭ କରିଥାନ୍ତି । ଏହି ପୂଜାରେ ପହିଲି ଭୋଗ, ରାଜ ଭୋଗ, ପଣା ଭୋଗ ଲାଗି ହୁଏ । ଭକ୍ତ, ଶ୍ରଦ୍ଧାଳୁ ବିଭିନ୍ନ ଶାଖା ଆଶ୍ରମର ସହଯୋଗରେ ପ୍ରତ୍ୟହ ପ୍ରସାଦ ବ୍ୟବସ୍ଥା ହୋଇଥାଏ । ଆସନ୍ତା ୨ ତାରିଖ ମହାଷ୍ଟମୀ ଦିନ ମା’ଙ୍କ ପାଖରେ ପାଣି କଖାରୁ ବଳି ଦିଆଯିବାର ପ୍ରଥା ରହିଛି । ଉକ୍ତ ଦିନ ଭକ୍ତ ଓ ଶ୍ରଦ୍ଧାଳୁ ଏହି ଉତ୍ସବରେ ଉପସ୍ଥିତ ରହି ମା’ଙ୍କ କୃପା ଲାଭ କରିବା ପାଇଁ ସେବକ ପ୍ରୀତିରଂଜନ ଦାସ ନିବେଦନ କରିଛନ୍ତି ।
