ନକଲି ଔଷଧ ମାମଲା ଟେଲମା-୪୦ ନକଲି ବୋଲି ସୂଚନା ଦେଲେ ଡିସିପି
କଟକ : କଟକରୁ ଜବତ ହୋଇଥିବା ମେଡିସିନ ପରୀକ୍ଷା କରାଯିବା ପରେ ତାହା ସଂପୂର୍ଣ୍ଣ ନକଲି ବୋଲି ଆଜି ସୂଚନା ଦେଇଛନ୍ତି ଡିସିପି ପିନାକ ମିଶ୍ର । ଟେଲମା-୪୦ ଔଷଧକୁ ଲାବୋରେଟୋରୀ ରିପୋର୍ଟରେ ନଟ୍ ଫିଟ୍ ଫର୍ ୟୁଜ୍ ବୋଲି ଉଲ୍ଲେଖ କରାଯାଇଥିବା କହିଛନ୍ତି ଡିସିପି ଶ୍ରୀ ମିଶ୍ର । ଏହି ନକଲି ଔଷଧ କାରବାରରେ ମୁଖ୍ୟ ଅଭିଯୁକ୍ତ ୨ ଜଣଙ୍କ ନାମରେ ଥିବା ୨ଟି ବ୍ୟାଙ୍କ ଆକାଉଣ୍ଟ ଜବତ କରାଯାଇଥିବା ବେଳେ ଏଥିରୁ ୧୨ ଲକ୍ଷ ଟଙ୍କା ଫ୍ରିଜ କରାଯାଇଛି । ସୂଚନାଯୋଗ୍ୟ ଯେ, ଅଭିଯୁକ୍ତଙ୍କୁ ୨ ଦିନିଆ ରିମାଣ୍ଡରେ ଅଣାଯିବା ପରେ ପଚରା ଉଚରାରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହସ୍ତଗତ ହୋଇଥିଲା । ପୂର୍ବରୁ ଏହି ଏଜେନ୍ସି ଓ ଅଭିଯୁକ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ ଜବତ କରାଯାଇଥିଲା । ଅନ୍ୟପଟେ ଅଭିଯୁକ୍ତଙ୍କୁ ଅନ୍ୟ କେଉଁମାନେ ନକଲି ଔଷଧ ଦେଉଥିଲେ, କେଉଁ ଦୋକାନୀମାନେ ନକଲି ଔଷଧ କାରବାରରେ ସାମିଲ ଥିଲେ, କେଉଁମାନେ ନକଲି ଔଷଧ ବୋଲି ନ ଜାଣି କାରବାର କରୁଥିଲେ ତାହାର ଏକ ତାଲିକା ପ୍ରସ୍ତୁତ କରାଯାଇଛି । ସେମାନଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି କହିଛନ୍ତି । ପ୍ରକାଶ ଯେ, ଗତ ୧୦ ତାରିଖରେ ଏହି ଘଟଣା ସଂପର୍କରେ ପୁରୀଘାଟ ଥାନାରେ କଟକ ଡ୍ରଗ୍ ଇନ୍ସପେକ୍ଟର ତୁଷାର ପାଣିଗ୍ରାହୀ ଏତଲା କରିଥିଲେ । ପରେ ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।
