ମହିଳା ଏସିଆନ୍ ଚାମ୍ପିୟନ୍ସ ଟ୍ରଫି : ୧୮ ଜଣିଆ ଭାରତୀୟ ଦଳ ଘୋଷଣା, ସ୍ଥାନ ପାଇଲେ ୪ ଓଡ଼ିଆ
ଭୁବନେଶ୍ୱର : ଆଗାମୀ ମହିଳା ଏସିଆନ ଚମ୍ପିଆନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟ ପାଇଁ ୧୮ ଜଣିଆ ଦଳ ଘୋଷଣା କରିଛି ହକି ଇଣ୍ଡିଆ । ଘୋଷିତ ସ୍କ୍ବାଡରେ ୪ଜଣ ଓଡିଆ ଖେଳାଳିଙ୍କୁ ସ୍ଥାନ ମିଳିଛି । ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟ ଡିସେମ୍ବର ୫ରୁ ୧୨ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ କୋରିଆରେ ହେବାନେଇ ସୂଚୀ ରହିଛି । ଦଳରେ ସ୍ଥାନ ପାଇଥିବା ଓଡିଆ ଖେଳାଳିମାନେ ହେଉଛନ୍ତି, ଦୀପ ଗ୍ରେସ ଏକ୍କା, ନମିତା ଟପ୍ପୋ, ଲିଲିମା ମିଞ୍ଜ ଓ ମାରିଆନା କୁଜୁର । ବର୍ଷର ଶ୍ରେଷ୍ଠ ଗୋଲକିପର ଭାବେ ନିକଟରେ ସମ୍ମାନିତ ସବିତାଙ୍କୁ ଟିମର ନେତୃତ୍ବ ଭାର ମିଳିଛି । ଏଥିସହ ଏହି ଗୁରୁତ୍ବପୂର୍ଣ୍ଣ ଟୁର୍ନାମେଣ୍ଟରେ ଅଭିଜ୍ଞ ଡିଫେଣ୍ଡର ଦୀପଗ୍ରେସ ଏକ୍କାଙ୍କୁ ଉପ-ଅଧିନାୟିକା ଚୟନ କରାଯାଇଛି ।
ଟିମରେ ରହିଛନ୍ତି ଗୋଲ୍କିପର ରଜନୀ ଏଟିମାର୍ପୁ ଓ ଡିଫେଣ୍ଡର ଉଦିତା, ନିକି ପ୍ରଧାନ ଓ ଗୁରଜିତ କୌର । ଏହି ସମସ୍ତ ଖେଳାଳି ଟୋକିଓ ଅଲମ୍ପିକ୍ ସ୍କ୍ବାଡର ଅଂଶ ରହିଥିଲେ । ମିଡଫିଲ୍ଡର ଭାବେ ସୁଶୀଳା ଚାନୁ, ପୁଖ୍ରାମ୍ବାମ ନିଶା, ମୋନିକା, ନେହା ଓ ଜ୍ୟୋତି ରହିଛନ୍ତି । ଟୋକିଓ ଅଲମ୍ପିକ୍ରେ ଐତିହାସିକ ପ୍ରଦର୍ଶନ ସହ ଚତୁର୍ଥ ସ୍ଥାନରେ ରହିଥିବା ଭାରତୀୟ ଟିମରେ ଖେଳିଥିଲେ ଏହି ଖେଳାଳି । ଟୋକିଓ ଅଲମ୍ପିକ୍ରେ ବିକଳ୍ପ ଖେଳାଳି ଭାବେ ଦଳରେ ଥିବା ନମିତା ଓ ଅନ୍ୟତମ ଷ୍ଟାର ଓଡିଆ ଖେଳାଳି ଲିଲିମା ମିଞ୍ଜଙ୍କୁ ଦଳରେ ସ୍ଥାନ ମିଳିଛି । ଫରୱାର୍ଡର ନେତୃତ୍ବ ନେବେ ଦୁଇଥରର ଅଲମ୍ପିଆନ ବନ୍ଦନା କାଟାରିୟା, ଟୋକିଓ ଅଲମ୍ପିକ ଦଳରେ ଥିବା ନବନୀତ କୌର । ଅନ୍ୟ ଫରୱାର୍ଡ ଖେଳାଳି ଭାବେ ସ୍କ୍ବାଡ୍ରେ ଚୟନ ହୋଇଥିବା ଖେଳାଳି ହେଉଛନ୍ତି ରାଜୱିନ୍ଦର କୌର, ମାରିଆନା କୌର ଓ ସୋନିକା । ନବୋଜ କୌର ଓ ଯୁବ ଖେଳାଳି ସୁମନ ଦେବୀ ଥୌଣ୍ଡମଙ୍କୁ ବିକଳ୍ପ ଖେଳାଳି ଭାବେ ଚୟନ କରାଯାଇଛି । ଘୋଷିତ ୧୮ଜଣିଆ ସ୍କ୍ବାଡ୍ରେ ଥିବା କୌଣସି ଖେଳାଳି ଆହତ କାରଣରୁ କିମ୍ବା କୋଭିଡ-୧୯ କାରଣରୁ ବାଦ୍ ପଡିଲେ ଏହି ଖେଳାଳି ତାଙ୍କର ସ୍ଥାନ ନେବେ ।
୧୮ ଜଣିଆ ଭାରତୀୟ ଦଳ : ଗୋଲକିପର : ସବିତା (ଅଧିନାୟକ), ରଜନୀ ଇଟିମାର୍ପୁ । ଡିଫେଣ୍ଡର: ଦୀପ ଗ୍ରେସ ଏକ୍କା(ଭାଇସ-କ୍ୟାପଟେନ), ଉଦିତା, ନିକି ପ୍ରଧାନ, ଗୁରଜିତ କୌର । ମିଡଫିଲ୍ଡର: ନିଶା, ସୁଶୀଳା ଚାନୁ, ପୁଖ୍ରାମ୍ବମ, ମନିତା ଟପ୍ପୋ, ମୋନିକା, ନେହା, ଜ୍ୟୋତି, ଲିଲିମା ମିଞ୍ଜ । ଫରୱାର୍ଡ: ନବନୀତ କୌର, ବନ୍ଦନା କାଟାରିୟା, ରାଜୱିନ୍ଦର କୌର, ମାରିଆନା କୁଜୁର, ସୋନିକା ।
