ନ୍ୟୁଜିଲାଣ୍ଡ ଓପନର ମାର୍ଟିନ ଗୁପ୍ଟିଲଙ୍କ ବିରଳ ରେକର୍ଡ, ପଛରେ ପଡିଲେ କୋହଲି
ରାଞ୍ଚି : ନ୍ୟୁଜିଲାଣ୍ଡ ଓପନର ମାର୍ଟିନ ଗୁପ୍ଟିଲଙ୍କ ବିରଳ ରେକର୍ଡ । ଭାରତର ଦିନିକିଆ ଓ ଟେଷ୍ଟ କ୍ୟାପଟେନ ବିରାଟ କୋହଲିଙ୍କୁ ପଛରେ ପକାଇ ପୁରୁଷ ଟି-୨୦ କ୍ରିକେଟରେ ସର୍ବାଧିକ ରନ୍ ସଂଗ୍ରହକାରୀ ଖେଳାଳି ହୋଇଛନ୍ତି ଗୁପ୍ଟିଲ ।
ରାଞ୍ଚିରେ ଖେଳାଯାଉଥିବା ଭାରତ ବିପକ୍ଷ ଦ୍ବିତୀୟ ଟି-୨୦ରେ ଏହି କିର୍ତ୍ତୀମାନର ଅଧିକାରୀ ହୋଇଛନ୍ତି ଷ୍ଟାର କିୱି ଓପନର । ମ୍ୟାଚ୍ରେ ଗୁପ୍ଟିଲ ୧୫ ବଲ୍ରୁ ୩୧ ରନ୍ର ଇଂନିସ ଖେଳିଛନ୍ତି । କିୱି ବ୍ୟାଟର ମାର୍ଟିନ ଗୁପ୍ଟିଲ ଫଟାଫଟ ଫର୍ମାଟର କ୍ରିକେଟରେ ୩,୨୪୮ ରନ୍ ସହିତ ସର୍ବାଧିକ ରନ୍ ସଂଗ୍ରହକାରୀ ଖେଳାଳିଙ୍କ ତାଲିକାର ଶୀର୍ଷରେ ପହଞ୍ଚିଛନ୍ତି । ୩,୨୨୭ ରନ୍ ସହ ବିରାଟ କୋହଲି ଦ୍ବିତୀୟ ଓ ୩,୦୮୬ ରନ୍ ସହ ତାଲିକାର ତୃତୀୟରେ ରହିଛନ୍ତି ରୋହିତ ଶର୍ମା । ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ) ଫ୍ରାଞ୍ଜାଇଜ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ଟ୍ବିଟ ଯୋଗେ ଗୁପ୍ଟିଲଙ୍କୁ ପୁରୁଷ ଟି-୨୦ କ୍ରିକେଟରେ ସର୍ବାଧିକ ରନ୍ସଂଗ୍ରହ ପାଇଁ ଶୁଭେଚ୍ଛା ଜଣାଇଛି ।
