ପୋଖରୀରେ ବୁଡି ମହିଳାଙ୍କ ମୃତ୍ୟୁ
ଜୟପୁର : ପୋଖରୀରେ ବୁଡି ଜନୈକା ମହିଳାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ରାମଗିରି ଥାନା ଅନ୍ତର୍ଗତ ମାଠପଡା ପଂଚାୟତର ଦଳପୁର ନିକଟସ୍ଥ ଝିଲିମିଲିଗୁଡା ଗ୍ରାମର ଅଞ୍ଜଳି ଖିଲ (୩୫)ଙ୍କର ବୁଧବାର ଅପରାହ୍ନରେ ଗ୍ରାମ ପୋଖରୀରେ ବୁଡି ମୃତ୍ୟୁ ହୋଇଯାଇଛି । ମୃତା ଅଞ୍ଜଳିଙ୍କର ସ୍ୱାମୀ ଅର୍ଜୁନ ଖିଲ ସୁଦୂର ଆନ୍ଧ୍ରପ୍ରଦେଶର ଗାଦବାଲି ଠାରେ ରହି କାମ କରୁଥିବା ବେଳେ ଘରେ ଦୁଇଟି ଝିଅ ଓ ଗୋଟିଏ ପୁଅ ଅଛନ୍ତି । ଅଞ୍ଜଳି ଦୁଇ ଝିଅ ଓ ପୁଅ ସ୍କୁଲରୁ ଫେରିବା ପରେ ଲୁଗା ସଫା କରିବା ପାଇଁ ପୋଖରୀକୁ ଯାଇଥିଲେ । ପଡ଼ିଆରେ ଖେଳୁଥିବା ବେଳେ ପୁଅ ମାଆଙ୍କ ପାଖକୁ ସାଇକେଲ ଚାବି ମାଗିବା ପାଇଁ ଯାଇ ପୋଖରୀ କୂଳରେ ମାଆକୁ ନଦେଖି ଫେରିଆସି ପାଖ ପଡ଼ୋଶୀଙ୍କୁ ଜଣାଇବାରୁ ଗ୍ରାମବାସୀମାନେ ଅଞ୍ଜଳିଙ୍କୁ ଖୋଜିବା ପାଇଁ ପୋଖରୀ କୂଳରେ ପହଂଚିଥିଲେ । ପୋଖରୀ କୂଳରେ ଲୁଗା ଥୁଆ ହୋଇଥିବା ବେଳେ ଅଞ୍ଜଳିଙ୍କର ଦେଖା ମିଳିନଥିଲା । ବହୁତ ସମୟ ଧରି ଖୋଜାଖୋଜି କରିବା ପରେ ସନ୍ଧ୍ୟା ହେବାରୁ ସମସ୍ତେ ଫେରିଆସିଥିଲେ । ପରଦିନ ଖୋଜାଖୋଜି କରି ମଧ୍ୟ ନପାଇବାରୁ ପୋଖରୀରେ ବୁଡି ଯାଇଥିବା ସନ୍ଦେହ କରି ବୈପାରିଗୁଡା ସ୍ଥିତ ଅଗ୍ନିଶମ କେନ୍ଦ୍ରକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଦଳପୁର ନିକଟସ୍ଥ ଝିଲିମିଲିଗୁଡା ପହଂଚି ପୋଖରୀ ଭିତରେ ଖୋଜିବା ପରେ ଅଞ୍ଜଳିଙ୍କର ମୃତଦେହ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ । ତେବେ ଏସଂପର୍କରେ ଅର୍ଜୁନଙ୍କ ସହ ଯୋଗାଯୋଗ କରିବା ପାଇଁ ଗ୍ରାମବାସୀମାନେ ଚେଷ୍ଟା କରିଥିଲେ ମଧ୍ୟ ଫୋନ୍ ସୁଇଚ୍ ଅଫ୍ ଯୋଗୁଁ ସୂଚନା ଦେଇପାରିନଥିଲେ । ତେବେ ଅଞ୍ଜଳିଙ୍କ ପରିବାରକୁ ଏସଂପର୍କରେ ଜଣାଇଥିଲେ ଏବଂ ରାମଗିରି ଥାନାରେ ଏତଲା ଦେଇଥିଲେ । ରାମଗିରି ଥାନା ଏଏସଆଇ ବଳରାମ ହିକକା ଘଟଣାସ୍ଥଳରେ ପହଂଚି ଶବ ଜବତ କରିଥିଲେ । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ପୁଲିସ କହିଛି ।
