ଲୋପ ପାଇବାକୁ ବସିଲାଣି ବାଉଁଶ ବଣ, ସୁରକ୍ଷା ଦେବ କିଏ ?
ଦଶପଲ୍ଲା : ନୟାଗଡ଼ ଜିଲ୍ଲା ଦଶପଲ୍ଲା ବନାଞ୍ଚଳ ଘଞ୍ଚ ବାଉଁଶବଣ ଧିରେ ଧିରେ ତା’ର କଳେବରକୁ ହରେଇ ଚାଲିଛି l ଯେଉଁ ବାଉଁଶ ବୁଦା ଗୁଡିକ ଦିନେ ଇତିହାସର ମୁକସାକ୍ଷୀ ହୋଇ ଦଶପଲ୍ଲା ଘଞ୍ଚ ଜଙ୍ଗଲର ପ୍ରମାଣ ଦେଉଥିଲା ତାହା ଏବେ ବିଲୁପ୍ତ ପ୍ରାୟ l ଜଙ୍ଗଲ ଭିତରୁ ବାଉଁଶ କଟା ଯେତିକି ଚିନ୍ତା ଜନକ, ଖୋଦ୍ ରାସ୍ତା କଡ଼ରୁ ବାଉଁଶ ମୂଳ ସହିତ କାଟି ନେବା ଘଟଣା ସେତିକି ଆଶ୍ଚର୍ଯ୍ୟ ଜନକ l ବାଉଁଶ ବିଭିନ୍ନ ପ୍ରକାର କାର୍ଯ୍ୟରେ ଲାଗୁଥିବା ବେଳେ ଦଶପଲ୍ଲା ଏଥିରେ ମୁଖ୍ୟ ଭୂମିକା ନିଭାଇ ଆସୁଛି l କିନ୍ତୁ ଦଶପଲ୍ଲାର ବିଭିନ୍ନ ସ୍ଥାନରେ ଯେଉଁ ଭଳି ବାଉଁଶ ତାହାର କଳେବର ହରାଇ ଚାଲିଛି ଆଉ କିଛିଦିନ ପରେ ବାଉଁଶ ପାଇଁ ଦଶପଲ୍ଲା ଆଉ କେଉଁ ଅଞ୍ଚଳ ଉପରେ ନିର୍ଭର କରିବାକୁ ପଡ଼ିବ ଏହା ଏବେ ଠାରୁ ଜଳ ଜଳ ହୋଇ ଦେଖାଗଲାଣି l ଏଠି ପ୍ରଶ୍ନ ଉଠେ, ପ୍ରକୃତରେ ଏସବୁ ସୁରକ୍ଷାର ବଳୟ ମଧ୍ୟରେ ଅଛି ତ? ନା ଖୁଲମଖୁଲା କିଛି ମାଫିଆଙ୍କ ଅକ୍ତିଆରକୁ ଚାଲି ଗଲାଣି l ଧ୍ଵଂସ ହେବାକୁ ବସିଥିବା ବାଉଁଶ ବଣକୁ ସମୃଦ୍ଧ କରିବା ଉପରେ ବାମ୍ବୁ ପ୍ଲାଣ୍ଟେସନ ନାମରେ ବିଭାଗ ବିଭିନ୍ନ ସମୟରେ ସ୍ଵତନ୍ତ୍ର ଯୋଜନାମାନ କରି ଅର୍ଥ ଖର୍ଚ୍ଚ କରି ଚାଲିଥିବା ବେଳେ ଏସବୁର ସୁରକ୍ଷା କିଭଳି ହେବ ତାକୁ ନେଇ ଚିନ୍ତା କରିବାର ବେଳ ଆସିଛି l ବେଳ ଥାଉଁ ଥାଉଁ ବିଭାଗ ଏଥିପ୍ରତି ସତର୍କ ନହେଲେ ଏ ଅମୂଲ୍ୟ ସମ୍ପଦ ସବୁଦିନ ପାଇଁ ଇତିହାସ ହୋଇଯିବ ଏକଥା ମଧ୍ୟ ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଥିବାର ଶୁଣିବାକୁ ମିଳିଲାଣି l ବିଭାଗ କେବେ ଏଥିପ୍ରତି ତତ୍ପରତା ପ୍ରକାଶ କରିବ ତାହା କେବଳ ଦେଖିବାର କଥା l
