ବୁଥ୍ ପରିସରରେ ଉତ୍ତେଜନା ଯୋଗୁଁ ବହୁ ସମୟ ଧରି ବନ୍ଦ ରହିଲା ମତଦାନ
ଭଦ୍ରକ : ରାଜ୍ୟରେ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି । ନିର୍ବାଚନ କମିଶନଙ୍କ ନିୟମ ପ୍ରକାରେ ସକାଳ ୭ଟା ଠାରୁ ମତଦାନ ପାଇଁ ଲୋକେ ବୁଥରେ ପହଞ୍ଚିଛନ୍ତି । ପ୍ରଥମ ପର୍ୟ୍ୟାୟରେ ୩୦ ଜିଲାର ୭୧ଟି ବ୍ଲକର ୧୬୬୯ଟି ଗ୍ରାମପଞ୍ଚାୟତର ୬୭ଲକ୍ଷ ୫୧ହଜାର ମତଦାତା ୨୨୩୭୯ଟି ବୁଥରେ ଲୋକେ ସେମାନଙ୍କ ଅଞ୍ଚଳର ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ବର ଏବଂ ୨୦୦ଟି ଜିଲାପରିଷଦ ସଭ୍ୟଙ୍କୁ ବାଛିବେ। ପୂର୍ବାହ୍ନ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ଅପରାହ୍ନ ୧ଟା ଯାଏଁ ଜାରି ରହିବ।
ଏହି ପରିପ୍ରେକ୍ଷୀରେ ଭଦ୍ରକ ଜିଲା ଆମ୍ବରୋଳି ପଞ୍ଚାୟତ ତଳାଙ୍ଗ ୨ ନମ୍ବର ବୁଥରେ କଥାକଟାକଟି ଯୋଗୁଁ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତେଜନା ଯୋଗୁଁ ବହୁ ସମୟ ଧରି ବନ୍ଦ ରହିଛି ମତଦାନ। ବୁଥ୍ ରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଲା ପୋଲିସ। ସେପଟେ କଟକ ସଦର ଯଶପଡ଼ା ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ନମିତା ବେହେରାଙ୍କର ବିଳମ୍ବିତ ରାତିରେ ମୃତ୍ୟୁ ହୋଇଥିବାରୁ ମତଦାନ ବନ୍ଦ ରହିଛି। ତେବେ ଅନ୍ୟ ପଦ ପାଇଁ ଭୋଟିଙ୍ଗ ଜାରି ରହିଛି।
