ସଫଳ ଗଣତନ୍ତ୍ର ପାଇଁ ଭୋଟର ସଚେତନତା ଜରୁରୀ ଜିଲ୍ଲା ସ୍ତରୀୟ ଜାତୀୟ ମତଦାତା ଦିବସ ପାଳିତ
ଭଦ୍ରକ : ପ୍ରତିବର୍ଷ ଜାନୁୟାରୀ ୨୫ ତାରିଖରେ ପାଳିତ ହୋଇ ଆସୁଥିବା ମତଦାତା ଦିବସ ଆଜି ଭଦ୍ରକ ଜିଲ୍ଲାସ୍ତରରେ ସଦ୍ଭାବନା ସଭାଗୃହରେ ପାଳିତ ହୋଇଯାଇଛି । ଏହି ତ୍ରୟୋଦଶ ଜାତୀୟ ମତଦାତା ଦିବସ ପାଳନରେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନୂଆକରି ଭୋଟର ତାଲିକାରେ ସାମିଲ ହୋଇଥିବା ନୂତନ ଯୁବ ଭୋଟରମାନଙ୍କୁ ସ୍ୱାଗତ ଅଭିନନ୍ଦନ ଜଣାଇବା ସହ ଆମ ଦେଶରେ ପ୍ରଚଳିତ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ପାଇଁ ଗୋଟିଏ ଭୋଟ୍ ବି କିପରି ମୂଲ୍ୟବାନ୍ ବୁଝାଇଥିଲେ । ୧୮ ବର୍ଷ ବା ତହିଁରୁ ଉର୍ଦ୍ଧ୍ୱ ଜଣେ ବି ନାଗରିକ ଯେପରି ଭୋଟର ତାଲିକାରୁ ବାଦ୍ ନପଡ଼ନ୍ତି ସେଥିପାଇଁ ସମସ୍ତଙ୍କୁ ସଚେତନ କରାଯାଉଛି । ଏପରିକି ୧୭ବର୍ଷ ରୁ ଉର୍ଦ୍ଧ୍ୱ ଯୁବ ବର୍ଗ ପାଇଁ ଭୋଟର ତାଲିକା ଭୁକ୍ତ ହେବାକୁ ଆଗୁଆ ଆବେଦନ ବ୍ୟବସ୍ଥା ସମ୍ବନ୍ଧରେ ମଧ୍ୟ ସେ ପ୍ରକାଶ କରିଥିଲେ । ପ୍ରତିବର୍ଷ ଜାନୁୟାରୀ, ଏପ୍ରିଲ, ଜୁଲାଇ, ଅକ୍ଟୋବର ମାସକୁ ୧୮ ବର୍ଷ ହେଉଥିବା ଯୋଗ୍ୟତାକୁ ନେଇ ଭୋଟର ତାଲିକାଭୁକ୍ତ ହେବା ପାଇଁ ଆବେଦନ କରିବା ବ୍ୟବସ୍ଥା ପ୍ରଚଳନ ସମ୍ବନ୍ଧରେ ସୂଚନା ପ୍ରଦାନ କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ମନୋଜ ପାତ୍ର, ସହକାରୀ ଜିଲ୍ଲାପାଳ ନିର୍ବାଚନ କସ୍ତୁରୀବାଳା ଜେନା ପ୍ରମୁଖ ଯୋଗ ଦେଇଥିଲେ । ନୂତନ ଭୋଟରମାନଙ୍କୁ ଭୋଟର ପରିଚୟ ପତ୍ର ବଣ୍ଟନ କରାଯାଇଥିଲା । ଏହି ଦିବସ ପାଳନ ଉପଲକ୍ଷେ ସଚେତନତା ଉଦ୍ଦେଶ୍ୟରେ ଅନୁଷ୍ଠିତ ହୋଇଥିବା ବକ୍ତୃତା, ଚିତ୍ରାଙ୍କନ ଓ କ୍ୱିଜ୍ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଏହି ଦିବସ ପାଳନ ଉପଲକ୍ଷେ ଉଦ୍ଧିଷ୍ଟ ମତଦାତାଙ୍କ ସଂକଳ୍ପ ପତ୍ର ପଠନ କରି ଜିଲ୍ଲାପାଳ ସମସ୍ତଙ୍କୁ ଶପଥପାଠ କରାଇଥିଲେ । ଶେଷରେ ଉପଜିଲ୍ଲାପାଳ ନାଗରିକ ମାନଙ୍କର ଭୋଟଦେବା ଦାୟିତ୍ୱ ସମ୍ବନ୍ଧରେ ସଚେତନ ହେବା, ଆମେ ସମସ୍ତେ ଆମ ଭୋଟ ଅଧିକାର ସାବ୍ୟସ୍ତ କରିଲେ ଭଲ ନେତୃତ୍ୱ ବାହାରିବା ସହିତ ଭଲ ଶାସନ ମିଳି ପାରିବ ବୋଲି ପ୍ରକାଶ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।
