ବିଶ୍ୱ ଚାମ୍ପିଅନ ମାଗନସ କାର୍ଲସେନଙ୍କୁ ପରାସ୍ତ କରି ପ୍ରଥମ ସ୍ଥାନକୁ ଉଠିଲେ ବିଶ୍ୱନାଥନ ଆନନ୍ଦ
ନୂଆଦିଲ୍ଲୀ : ଭାରତୀୟ ଗ୍ରାଣ୍ଡ ମାଷ୍ଟର ତଥା ଦିଗଜ ଚେସ୍ ଖେଳାଳି ବିଶ୍ୱନାଥନ ଆନନ୍ଦ ପୁଣି ଥରେ ବିଶ୍ୱ ଚାମ୍ପିଅନ ମାଗନସ କାର୍ଲସେନଙ୍କୁ ପରାସ୍ତ କରିଛନ୍ତି । ଆନନ୍ଦ ନରୱେ ଚେସ୍ ଟୁର୍ଣ୍ଣାମେଂଟରେ କ୍ଲାସିକଲ ବର୍ଗର ପଂଚମ ରାଉଣ୍ଡରେ କାର୍ଲସେନଙ୍କୁ ହରାଇ ପ୍ରତିଯୋଗିତାରେ ପ୍ରଥମ ସ୍ଥାନକୁ ଉଠିଛନ୍ତି । ରୋମାଂଚକର ଆର୍ମେଗଡନ ବା ସଡନ ଡେଥ ଗେମରେ ଆନନ୍ଦ କାର୍ଲସେନଙ୍କୁ ହରାଇଛନ୍ତି । ଏହା ପୂର୍ବରୁ ଦୁଇ ଖେଳାଳିଙ୍କ ମଧ୍ୟରେ ଖେଳାଯାଇ ଥିବା ନିୟମିତ ବାଜିରେ ୪୦ ଚାଲ୍ ପରେ ମ୍ୟାଚ୍ ଡ୍ର ରହିଥିଲା ।
ସଡନ ଡେଥ ଗେମରେ ୫୨ ବର୍ଷୀୟ ଆନନ୍ଦ ନିଜର ପୁରୁଣା ଯାଦୁ ଦେଖାଇ କାର୍ଲସେନଙ୍କୁ ୫୦ ଚାଲରେ ହରାଇଛନ୍ତି । ଏହି ବିଜୟ ସହ ଭାରତୀୟ ଗ୍ରାଣ୍ଡମାଷ୍ଟରଙ୍କ ପଏଂଟ ସଂଖ୍ୟା ୧୦ରେ ପହଂଚିଛି । ଶୀର୍ଷରେ ଥିବା ଆନନ୍ଦଙ୍କୁ ଏବେ ଆହୁରି ଚାରୋଟି ରାଉଣ୍ଡ ଖେଳିବା ବାକି ରହିଛି । କାର୍ଲସେନ ୯.୫ ପଏଂଟ ସହ ବର୍ତମାନ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଏହି ପ୍ରତିଷ୍ଠିତ ଟୁର୍ଣ୍ଣାମେଂଟରେ ଦୁନିଆର ସର୍ବଶ୍ରେଷ୍ଠ ଖେଳାଳି ଖେଳୁଛନ୍ତି । ଆନନ୍ଦ କ୍ଲାସିକଲ ବର୍ଗର ପ୍ରାରମ୍ଭିକ ମ୍ୟାଚରେ ଫ୍ରାନ୍ସର ମ୍ୟାକ୍ସିମ ୱାଚିୟେର ଲାଗ୍ରେଭ, ବୁଲଗେରିଆର ଭେସେଲିନ ଟୋପାଲୋଭ ଏବଂ ଚୀନର ହାଓ ବ୍ୟାଙ୍ଗ ବିପକ୍ଷରେ ଲଗାତାର ତିନି ବାଜି ଜିତିଥିଲେ । ଏହି ପ୍ରତିଯୋଗିତାରେ ବ୍ଲିଟଜ ବର୍ଗରେ ଟାଇଟଲ୍ ଜିତିଥିବା ଅଜରବାଇଜାନର ଶଖ୍ରୀୟାର ମାମେଦ୍ୟାରୋଭ ତୃତୀୟ ସ୍ଥାନରେ ରହିଛନ୍ତି । ଆନନ୍ଦ ନରୱେ ଚେସ୍ ଟୁର୍ଣ୍ଣାମେଂଟର ବ୍ଲିଟଜ ବର୍ଗରେ ମଧ୍ୟ ମାଗନସ କାର୍ଲସେନଙ୍କୁ ହରାଇଥିଲେ । ସେହି ସମୟରେ ଆନନ୍ଦ କାର୍ଲସେନଙ୍କୁ ହରାଇ ସପ୍ତମ ରାଉଣ୍ଡରୁ ପଂଚମ ବିଜୟ ହାସଲ କରିଥିଲେ । ଉଲ୍ଲେଖନୀୟ ନରୱେର ଚେସ୍ ଟୁର୍ଣ୍ଣାମେଂଟର କ୍ଲାସିକଲ ରାଉଣ୍ଡରେ ମୁକାବିଲା ଡ୍ର ରହିଲେ ସଡନ ଡେଥ୍ ରାଉଣ୍ଡ ଖେଳାଯାଏ ।
