ଟିମ୍ ଇଣ୍ଡିଆକୁ ଝଟକା! ଷ୍ଟାର ଖେଳାଳି ମୟଙ୍କ ଅଗ୍ରୱାଲ ଆହତ
ନୂଆଦିଲ୍ଲୀ : ଉତର ପ୍ରଦେଶ ବିପକ୍ଷରେ ଜାରି ରଣଜୀ ଟ୍ରଫିର ତୃତୀୟ କ୍ୱାର୍ଟର ଫାଇନାଲ୍ ମୁକାବିଲାରେ କର୍ଣ୍ଣାଟକ ଦଳକୁ ଲାଗିଛି ଜୋରଦାର ଝଟକା । ଦଳର ଓପନିଂ ବ୍ୟାଟସମ୍ୟାନ ମୟଙ୍କ ଅଗ୍ରୱାଲ ଆହତ ହୋଇଛନ୍ତି । ପଡିଆରେ ତାଙ୍କୁ ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖିବାକୁ ମିଳିଛି । ଅଗ୍ରୱାଲଙ୍କୁ ଟି-୨୦ ଏବଂ ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍ ପାଇଁ ଦଳରେ ଚୟନ କରାଯାଇ ନାହିଁ ।
ମ୍ୟାଚର ୭ମ ଓଭରରେ ଶିବମ ମାଭି ବୋଲିଂ କରୁଥିଲେ । ମାଭିଙ୍କ ଶେଷ ବଲ୍ ସଟ୍ ଥିଲା ଏବଂ ଏହାକୁ ଖେଳିବାରେ ବିଫଳ ହୋଇଥିଲେ ମୟଙ୍କ ଅଗ୍ରୱାଲ । ବଲ୍ ପ୍ରଥମେ ହାତରେ ବାଜି ଛାତି ପଞ୍ଜରାରେ ବାଜିଥିଲା । ଶରୀରରେ ବଲ୍ ବାଜିବା ପରେ ସେ ଯନ୍ତ୍ରଣାରେ ଛଟପଟ୍ ହୋଇଥିଲେ । ଫିଜିଓ ଆସି ଯନ୍ତ୍ରଣାକୁ ଉପଶମ କରିଥିଲେ । ପୁଣି ମୟଙ୍କ ବ୍ୟାଟିଂ ଜାରି ରଖିଥିଲେ । ହେଲେ କିଛି ଖାସ୍ କରି ପାରିନଥିଲେ ଏବଂ ୧୦ ରନ କରି ପାଭିଲିୟନ ଫେରିଥିଲେ । ଆଇପିଏଲ ୨୦୨୨ରେ ମଧ୍ୟ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମୁକାବିଲାରେ ଉମରାନ ମଲିକଙ୍କ ବଲରେ ମୟଙ୍କ ଅଗ୍ରୱାଲ ଆହତ ହୋଇଥିଲେ । ମୟଙ୍କଙ୍କ ଏହି ପରି ବାରମ୍ବାର ଆହତ ହେବା ଭାରତୀୟ ଦଳ ପାଇଁ ଶୁଭଙ୍କର ନୁହେଁ । ମୟଙ୍କ ଏବେ ଦଳରୁ ବାହାରେ ଥିଲେ ହେଁ, ତାଙ୍କ ପ୍ରଦର୍ଶନ ଉପରେ ଚୟନକର୍ତା ସର୍ବଦା ନଜର ରଖିଥାନ୍ତି । ମୟଙ୍କ ଟେଷ୍ଟରେ ୧୬ଟି ମ୍ୟାଚ୍ ଖେଳି ୪୩.୩୦ ହାରରେ ୧୪୨୯ ରନ କରିଛନ୍ତି । ଏଥିରେ ୪ ଶତକ ଏବଂ ୬ ଅର୍ଦ୍ଧଶତକ ସାମିଲ୍ । ଟେଷ୍ଟରେ ତାଙ୍କର ସବୋର୍ଚ୍ଚ ସ୍କୋର ୨୪୩ ରନ ରହିଛି ।
