ୟୁଏଇ ଟି-୨୦ ଲିଗ୍ ପାଇଁ ଆଇପିଏଲ୍ ଫ୍ରାଂଚାଇଜ୍ଙ୍କୁ ଅଗ୍ରାଧିକାର
ଦୁବାଇ : ଆସନ୍ତାବର୍ଷ ଜାନୁଆରି ଓ ଫେବ୍ରୁଆରି ମଧ୍ୟଭାଗ ମଧ୍ୟରେ ଆୟୋଜିତ ହେବାକୁ ଯୋଜନା ଥିବା ୟୁଏଇ ଟି-୨୦ ଲିଗ୍ରେ ଆଇପିଏଲ୍ ଫ୍ରାଂଚାଇଜ୍ଙ୍କୁ ଅଗ୍ରାଧିକାର ଦିଆଯାଇଛି । ଏହି ଲିଗ୍ରେ ବିଶେଷକରି ୩ଟି ଆଇପିଏଲ୍ ଦଳ ଅଂଶଗ୍ରହଣ କରିବା ନିଶ୍ଚିତ ହୋଇଛି । ଏହି ଆଇପିଏଲ୍ ଦଳଗୁଡ଼ିକ ହେଲେ ମୁମ୍ବାଇ ଇଣ୍ଡିଆନ୍ସ, କୋଲ୍କାତା ନାଇଟ୍ ରାଇଡର୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ । ଏହି ୩ ଫ୍ରାଂଚାଇଜ୍ଙ୍କୁ ସେମାନଙ୍କ ଆଇପିଏଲ୍ ଦଳର ଖେଳାଳିଙ୍କୁ ପ୍ରଥମେ ଚୁକ୍ତିବଦ୍ଧ କରିବାର ବିକଳ୍ପ ଦିଆଯାଇଛି । ତେବେ ନିଜ ନିଜ ଆଇପିଏଲ୍ ଦଳର ୪ ଜଣ ଲେଖାଏଁ ଖେଳାଳିଙ୍କୁ ପ୍ରଥମ ପସନ୍ଦରେ ବାଛିବାକୁ କୁହାଯାଇଛି ।
ୟୁଏଇ ଟି-୨୦ ଲିଗ୍ ମୁଖ୍ୟତଃ ୬ ଦଳକୁ ନେଇ ଆୟୋଜିତ ହେବ । ଏହି ଲିଗ୍ ମୁଖ୍ୟତଃ ଏମିରେଟ୍ସ କ୍ରିକେଟ୍ ବୋର୍ଡ (ଇସିବି) ଦ୍ୱାରା ପରିଚାଳିତ ହେବ । ତେଣୁ ଇସିବି ଇତି ମଧ୍ୟରେ କୋଲ୍କାତା ନାଇଟ୍ ରାଇଡର୍ସକୁ ସୁନିଲ ନାରାୟଣ, ଆନ୍ଦ୍ରେ ରସେଲ କିମ୍ବା ଏବର ଦଳର ଅନ୍ୟ ଖେଳାଳିଙ୍କୁ ଚୁକ୍ତିବଦ୍ଧ କରିପାରିବ । ସେହିପରି ମୁମ୍ବାଇ ଇଣ୍ଡିଆନ୍ସ କିରଣ ପୋଲାର୍ଡ, ଟିମ୍ ଡେଭିଡ୍ କିମ୍ବା ଜୋଫ୍ରା ଆର୍ଚରଙ୍କୁ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ସେହିଭଳି ତା’ର ପ୍ରମୁଖ ଖେଳାଳିଙ୍କ ସହ ଚୁକ୍ତି କରିପାରିବ ବୋଲି ଇସିବି ଅବଗତ କରାଇଦେଇଛି । ପ୍ରତ୍ୟେକ ଫ୍ରାଂଚାଇଜ୍ ୪ ଜଣ ଲେଖାଏଁ ଖେଳାଳିଙ୍କୁ ଚୁକ୍ତିବଦ୍ଧ କରିବା ପରେ ଅନ୍ୟ ଖେଳାଳିଙ୍କୁ ନିଲାମ ଜରିଆରେ କିଣିବ ବୋଲି ଇସିବି ମହାସଚିବ ମୁବାସିର ଉସ୍ମାନି ଗୁରୁବାର ବୋର୍ଡ ୱେବ୍ସାଇଟ୍ରେ ଉଲ୍ଲେଖ କରିଛନ୍ତି । ପୁଣି ଯେଉଁ ଖେଳାଳିଙ୍କୁ ସେମାନଙ୍କ ଜାତୀୟ ବୋର୍ଡଠୁ ଆପତିବିହୀନ ପ୍ରମାଣପତ୍ର ମିଳିଥିବ ସେହିମାନଙ୍କୁ ହିଁ ଚୁକ୍ତିବଦ୍ଧ କରାଯାଇପାରିବ ବୋଲି ମୁବାସିର ସ୍ପଷ୍ଟ କରିଛନ୍ତି । ତିନି ଆଇପିଏଲ୍ ଫ୍ରାଂଚାଇଜ୍ଙ୍କ ବ୍ୟତୀତ ଅଂଶଗ୍ରହଣ କରିବାକୁ ଥିବା ଅନ୍ୟ ୩ ଫ୍ରାଂଚାଇଜ୍ ଆଦାନି ଗ୍ରୁପ୍, ଗ୍ଲାଜେର ଫ୍ୟାମିଲି ଏବଂ କାପ୍ରି ଗ୍ଲୋବାଲ ପାଇଁ ମଧ୍ୟ ସମାନ ନୀତି ପ୍ରଣୟନ କରାଯିବ ବୋଲି ଇସିବି କହିଛି । ସମସ୍ତ ଦଳକୁ ଜଣେ ଖେଳାଳି ପିଛା ୨ ମିଲିୟନ ଆମେରିକୀୟ ଡଲାର ମୂଲ୍ୟ ବିନିମୟ ପାଇଁ ଅନୁମତି ମିଳିବ ବୋଲି ଇସିବି କହିଛି ।
