ଓମ୍ବାଡସି ଓଭରସାଇଟ ଅଥରିଟିଙ୍କ କେନ୍ଦୁଝର ଗସ୍ତ
କେନ୍ଦୁଝର : ଓଡିଶା ମିନେରାଲ ବିଅରିଂ ଏରିଆ ଡେଭେଲପମେଣ୍ଟ କର୍ପୋରେସନ ବା ଓମ୍ବାଡସିର ଓଭରସାଇଟ ଅଥରିଟି ତଥା ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଅନଙ୍ଗ କୁମାର ପଟ୍ଟନାୟକ ଚଳିତ ମାସ ୨୭ତାରିଖରୁ ୩ଦିନିଆ କେନ୍ଦୁଝର ଜିଲା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପ ଓ କାର୍ଯ୍ୟକ୍ରମର ତଦାରଖ କରିବା ସହିତ ସମୀକ୍ଷା କରିଛନ୍ତି । ଜଷ୍ଟିସ ଏ.କେ ପଟ୍ଟନାୟକ, ତାଙ୍କର ପ୍ରଥମ ଦିନ ଗସ୍ତରେ ଘସିପୁରାର ରାମଚନ୍ଦ୍ରପୁର ୫-ଟି ରୂପାନ୍ତରିତ ହାଇସ୍କୁଲ ପରିଦର୍ଶନ କରିଥିଲେ । ପ୍ରଯୁକ୍ତିବିଦ୍ୟା ଏବଂ ଶିକ୍ଷା ପ୍ରଦାନ ପାଇଁ ଏହା ବେଶ ସହାୟତା କରିବ ବୋଲି ମତ ଦେବା ସହ ସେ ଖୁସି ବ୍ୟକ୍ତ କରିଥିଲେ । ଏହା ପରେ ସେ ଆନନ୍ଦପୁର ଇଣ୍ଡୋର ଷ୍ଟାଡିୟମର ଚାଲିଥିବା କାର୍ଯ୍ୟ ପରିଦର୍ଶନ କରିଥିଲେ । କାର୍ଯ୍ୟର ପ୍ରଗତିରେ ସେ ଖୁସି ପ୍ରକଟ କରିଥିଲେ । ସମଗ୍ର ଜିଲ୍ଲାରେ ଏଭଳି ସୁବିଧା ଯୋଗାଇ ଦିଆଯାଉଛି ବୋଲି ସେ କହିଥିଲେ ।ଏହା ପରେ ସେ ହାଟଡିହିଠାରେ ୧୯ଟି ଗାଁକୁ ପାଇପ୍ ଯୋଗ ଯୋଗାଇ ଦିଆଯିବାକୁ ଥିବା ପାନୀୟ ଜଳ ପ୍ରକଳ୍ପ ପରିଦର୍ଶନ କରିଥିଲେ । ପରେ ସେ ବିଭିନ୍ନ ସମୁଦାୟ ସହିତ ଆଲୋଚନା କରିଥିଲେ ଏବଂ \’ଆମ ଜଙ୍ଗଲ ଯୋଜନା\’ କାର୍ଯ୍ୟର ତଦାରଖ କରିଥିଲେ । ସେ ଘାଟଗାଁରେ ଥିବା ମାଆ ଏବଂ ଶିଶୁ ଯତ୍ନ କେନ୍ଦ୍ର ପରିଦର୍ଶନ କରିଥିଲେ ଯେଉଁଠାରେ ସେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ ଏବଂ ଜନସାଧାରଣଙ୍କ ପାଇଁ ମିଳୁଥିବା ସେବା ଗୁଡିକର ସମ୍ପ୍ରସାରଣ ବିଷୟରେ ପଚାରି ବୁଝିଥିଲେ । ସେ ଓଡିଶାରେ ମା ଏବଂ ଶିଶୁ ସ୍ୱାସ୍ଥ୍ୟସେବାର ସାମଗ୍ରିକ ଦୃଷ୍ଟିକୋଣରେ ଉନ୍ନତି ଆଣିବା ଉପରେ ଗୁରୁତ୍ୱାରୋପ କରିଥିଲେ । ତାଙ୍କ ପ୍ରଥମ ଦିନର ଗସ୍ତର ଶେଷ ପର୍ଯ୍ୟାୟରେ ଜଷ୍ଟିସ୍ ଶ୍ରୀ ପଟ୍ଟନାୟକ ଘାଟଗାଁ ବ୍ଲକରେ ଥିବା ୩୦ ଶଯ୍ୟା ବିଶିଷ୍ଟ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ସେଠାରେ ସିଡିଏମଓ ଏବଂ ଅନ୍ୟ ଅଧିକାରୀମାନଙ୍କ ସହ ଜନସାଧାରଣଙ୍କୁ ଉପଯୁକ୍ତ ସେବା ଯୋଗାଇ ଦେବା ପାଇଁ ପରାମର୍ଶ ଦେଇଥିଲେ । ତାଙ୍କ ଗସ୍ତର ଦ୍ୱିତୀୟ ଦିନରେ ଜଷ୍ଟିସ୍ ପଟ୍ଟନାୟକ କେନ୍ଦୁଝର କୃଷି ବିଜ୍ଞାନ କେନ୍ଦ୍ର (କେଭିକେ) ପରିଦର୍ଶନ କରି ଜୀବନ ଜୀବିକା ସେବା ବ୍ୟବସ୍ଥା ୟୁନିଟ୍, ଦକ୍ଷତା ବିକାଶ ଏବଂ କୃଷି ପ୍ରକ୍ରିୟାକରଣ ୟୁନିଟ୍ ଦେଖି ଖୁସି ବ୍ୟକ୍ତ କରିଥିଲେ । ପରେ ସେ କେଭିକେରେ ଦକ୍ଷତା ବିକାଶ ଅଧିବେଶନରେ ଯୋଗଦେଇଥିବା କୃଷକଙ୍କ ସହ ଆଲୋଚନା କରିଥିଲେ । କେଭିକେ ପକ୍ଷରୁ ୪ଟି ଜିଲ୍ଲାର ୧୩ ଟି ବ୍ଳକର ୧୦୦୦ କୃଷକଙ୍କୁ ୭୭ଟି ଦକ୍ଷତା ବିକାଶ ଅଧିବେଶନ ମାଧ୍ୟମରେ ତାଲିମ ପ୍ରଦାନ କରାଯାଇଥିବା ବିଷୟରେ ତାଙ୍କୁ ଅବଗତ କରାଯାଥିଲା । ପରେ ଜଷ୍ଟିସ୍ ପଟ୍ଟନାୟକ କେନ୍ଦୁଝରର ସାନମୁଣି ଗ୍ରାମରେ ୨ଟି ସ୍ୱୟଂ ସହାୟକ ଗୋଷ୍ଠି ଦ୍ୱାରା କରାଯାଥିବା ପାଳ ଓ ଧିଙ୍ଗିରୀ ଛତୁ ଚାଷ ୟୁନିଟ ପରିଦର୍ଶନ କରିଥିଲେ । ଜିପିଏଲଏଫ ଏବଂ ମହାସଙ୍ଘ ସେମାନଙ୍କ ପାଇଁ କିଭଳି ବଜାର ସୁବିଧା ଯୋଗାଇ ଦେଉଛି ସେ ବିଷୟରେ ପଚାରି ବୁଝିଥିଲେ । ପରେ ସେ ଚମ୍ପୁଆ ଏନଏସିରେ ଜିଲ୍ଲାର ଜଳ ଯୋଗାଣ ପ୍ରକଳ୍ପର ସମୀକ୍ଷା କରିଥିଲେ । ସେହିପରି ଜଷ୍ଟିସ ପଟ୍ଟନାୟକ ଚମ୍ପୁଆ ବ୍ଲକର ବାସୁଦେବପୁର ଏସଏସଡି ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ବିଦ୍ୟାଳୟର ଲାଇବ୍ରେରୀ ରୁମ ଏବଂ ଡାଇନିଂ ହଲ ଓ ଶିକ୍ଷା ଭିତିଭୂମି ବିକାଶ ଯାଂଚ କରିଥିଲେ । ପରେ ଜଷ୍ଟିସ ପଟ୍ଟନାୟକ ସିଆଲିଯୋଡା ବ୍ଲକରେ ଥିବା ଚେକଡ୍ୟାମ ପରିଦର୍ଶନ କରିଥିଲେ । ଏହି ଚେକଡ୍ୟାମ ଦ୍ୱାରା ଲୋକ ଖଣି କାମ ଛାଡି ଉଦ୍ୟାନ କୃଷି କାର୍ଯ୍ୟ କରୁଥିବା ଦେଖି ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି । ପରେ ଜଷ୍ଟିସ ପଟ୍ଟନାୟକ ଝୁମ୍ପୁରା ବ୍ଲକର ସରୁପତଳା ଠାରେ ଥିବା ଛେଳି ଫାର୍ମ ୟୁନିଟ୍ ପରିଦର୍ଶନ କରିବା ସହିତ କୃଷକମାନଙ୍କ ସହ ଆଲୋଚନା କରି ବିଭାଗ ପକ୍ଷରୁ ସେମାନଙ୍କୁ ଯୋଗାଇ ଦେଇଥିବା ସୁବିଧା ବିଷୟରେ ପଚାରି ବୁଝିଥିଲେ । ଗସ୍ତର ତୃତୀୟ ଦିନ ତଥା ଗୁରୁବାର ଜଷ୍ଟିସ ପଟ୍ଟନାୟକ କ୍ଷେତ୍ର ପରିଦର୍ଶନ ଶେଷ କରିବା ପରେ ଦରବାରହଲଠାରେ ବିଭିନ୍ନ ପ୍ରକଳ୍ପ ଓ କାର୍ଯ୍ୟକ୍ରମର କାର୍ଯ୍ୟାନ୍ୱୟନ ଓ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରି କାର୍ଯ୍ୟାନ୍ୱୟନ ଓ ଅଗ୍ରଗତି ସନ୍ତୋଷଜନକ ବୋଲି ମତବ୍ୟକ୍ତ କରିଛନ୍ତି । ଏହି ସମୀକ୍ଷା ବୈଠକରେ ପ୍ରାରମ୍ଭରେ ଜିଲାପାଳ ଠାକୁର, ବିଚାରପତି ଶ୍ରୀ ପଟ୍ଟନାୟକ, ଓମ୍ବାଡସିର ବରିଷ୍ଠ କର୍ମକର୍ତା ଏବଂ ଉପସ୍ଥିତ ସମସ୍ତ ପଦାଧିକାରୀଙ୍କୁ ସ୍ୱାଗତ ଜଣାଇଥିଲେ । ଏଥିସହ ଆଗାମୀ ଦିନରେ ଓମ୍ବାଡସିି ଅନୁଦାନରେ କାର୍ଯ୍ୟକ୍ରମ ବ୍ୟାପକ କରି ଜନସାଧାରଣଙ୍କୁ ସେବା ଯୋଗାଇ ଦେବାକୁ ପରାମର୍ଶ ଦେଇଛନ୍ତି । ଓମ୍ବାଡସିର ଓଭରସାଇଟ ଅଥରିଟି ତଥା ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଶ୍ରୀ ପଟ୍ଟନାୟକ ଉଦବୋଧନ ଦେଇ କହିଥିଲେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଦାୟିତ୍ୱପ୍ରାପ୍ତ ହୋଇ ୨୦୧୮ ମସିହାରେ କେନ୍ଦୁଝର ଜିଲା ଗସ୍ତରେ ଆସିଥିଲେ । ଜିଲାର ଭିତିଭୂମିର ସ୍ଥିତି ପରଖିବା ସହ କେଉଁ କ୍ଷେତ୍ରରେ ଓମ୍ବାଡସି ଅର୍ଥ ବିନିଯୋଗର ଆବଶ୍ୟକତା ରହିଛି ତାହା ତଦାରଖ କରିବା ଏବଂ ଜିଲାପାଳଙ୍କ ସମେତ ବରିଷ୍ଠ ଅଧିକାରୀଙ୍କ ସହ ଓମ୍ବାଡସି ଅର୍ଥ ବିନିଯୋଗରେ ଜିଲାର ଖଣି ଅଂଚଳ ତଥା ଅନ୍ୟାନ୍ୟ ଅଂଚଳର ବିକାଶ ପାଇଁ ଯଥାଯଥ ଯୋଜନା ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ହୋଇଥିଲା । ଜିଲାବାସୀଙ୍କ ପାଇଁ ପାନୀୟଜଳ ଯୋଗାଣ, ଜିଲା ମୁଖ୍ୟ ଚିକିତ୍ସା ଳୟ ତଥା ଅନ୍ୟାନ୍ୟ ଚିକିତ୍ସାଳୟମାନଙ୍କର ଭିତିଭୂମିର ବିକାଶ ସହିତ ଆଧୁନିକ ଚିକିତ୍ସା ପଦ୍ଧତି ପାଇଁ ଆବଶ୍ୟକୀୟ ଉପକରଣ ବ୍ୟବସ୍ଥା, ଶିକ୍ଷା କ୍ଷେତ୍ରର ଭିତିଭୂମିର ବ୍ୟବସ୍ଥା, ଜନସାଧାରଣଙ୍କର ଜୀବନ ଜୀବିକାର ଉନ୍ନତି, ଦକ୍ଷତା ବିକାଶ, ବର୍ଷା ଜଳ ସଂରକ୍ଷଣ ଆଦି କ୍ଷେତ୍ରକୁ ପ୍ରାଥମିକତା ଦିଆଯାଇ କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦେଶ ଦିଆଯିବା ସହିତ ଅର୍ଥ ମଞ୍ଜୁର କରାଯାଇଥିଲା । ୪ବର୍ଷ ପରେ ଗସ୍ତ ସମୟରେ କେନ୍ଦୁଝର ଜିଲାରେ ପ୍ରଗତି କ୍ଷେତ୍ରରେ ବିରାଟ ପରିବର୍ତନ ଆସିଛି । ଓମ୍ବାଡସି ଅର୍ଥ ବିନିଯୋଗରେ ଜିଲାରେ କିଭଳି କାର୍ଯ୍ୟ ହୋଇଛି, କେଉଁ ପ୍ରକାରର ପ୍ରକଳ୍ପ ଓ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ତାହା ଅନୁଧ୍ୟାନ ଏବଂ ତଦାରଖ କରିବା ଥିଲା ଏହି ଗସ୍ତର ଉଦ୍ଦେଶ୍ୟ ବୋଲି ଜଷ୍ଟିସ ଶ୍ରୀ ପଟ୍ଟନାୟକ କହିଥିଲେ । ଓମ୍ବାଡସିର ସିଇଓ ଜି. ରାଜେଶ, ସ୍ପେଶାଲ ଡ୍ୟୁଟି (ଓଏସଡି)ର ଅଧିକାରୀ ଶେଖ ନାଇମୁଦ୍ଦିନ ଏବଂ ଦ୍ୱିପାୟନ ପଟ୍ଟନାୟକ, ସାଧାରଣ ପରିଚାଳକ ଓମ୍ବାଡସି (ପ୍ରଶାସନ) ସୁଧାକର ବୁରଗୀ, ସାଧାରଣ ପରିଚାଳକ (ଅପରେସନ୍) ଜୟନ୍ତ କୁମାର ଦାଶ, ପରାମର୍ଶଦାତା ପାର୍ଥା ସାରଥୀ ମହାନ୍ତି ଏବଂ ଟିମ୍ ଲହହର (ପିଏମୟୁ) ଅମ୍ବୁଜ ପ୍ରସାଦ ଜଷ୍ଟିସ ଏ.କେ ପଟ୍ଟନାୟକଙ୍କ ସହ ବିଭିନ୍ନ ଅଂଚଳ ଗସ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ, ସିଡିଓ ତଥା ଜିଲା ପରିଷଦର କାର୍ଯ୍ୟ ନିର୍ବାହୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ ଏବଂ ଜିଲ୍ଲାର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
