ରାଜ୍ୟରେ ପ୍ରଥମ ୫- ଟି ରୂପାନ୍ତରିତ ସ୍କୁଲରେ ଖୋଲିଲା ଭର୍ଚୁଆଲ ରିଆଲିଟି ଲ୍ୟାବ, ସାରା ରାଜ୍ୟ ପାଇଁ ଅନୁକରଣୀୟ ଖୋଲିବ ଟିଚର ବାରାକ : ଗଣଶିକ୍ଷା ମନ୍ତ୍ରୀ
କନ୍ଧମାଳ : ରାଜ୍ୟ ସରକାର ୫- ଟି ଅଧିନରେ ରାଜ୍ୟର ମାଧ୍ୟମିକ ସ୍କୁଲ ଗୁଡ଼ିକର ରୂପାନ୍ତରଣ କରିଛନ୍ତି । ତେବେ କନ୍ଧମାଳ ଜିଲ୍ଲାରେ ଏହି ପରିପ୍ରେକ୍ଷୀରେ ଟିକେ ଭିନ୍ନ ତଥା ନିଆରା କରାଯାଇଛି । ଫୁଲବାଣୀ ଏଜେଓ ହାଇସ୍କୁଲ ଠାରେ ଖୋଲାଯାଇଛି ଭାର୍ତୁଆଲ ରିଆଲିଟୀ ଲ୍ୟାବ,ଯାହାକି ରାଜ୍ୟରେ ପ୍ରଥମ । ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଏହି ଲ୍ୟାବକୁ ଉଦ୍ଘାଟନ କରିବା ସହିତ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କୁ ଏହି ଅଭିନବ ପ୍ରୟାସ ପାଇଁ ପ୍ରଶଂସା କରିଛନ୍ତି । ଏପରି ବ୍ୟବସ୍ଥା ରାଜ୍ୟର ସବୁ ରୂପାନ୍ତରିତ ସ୍କୁଲରେ ପ୍ରୟୋଗ କରିବାକୁ ଚିନ୍ତା କରାଯିବ ବୋଲି କହିଛନ୍ତି ମନ୍ତ୍ରୀ । ଏହା ଭିନ୍ନ ମାଓ ପ୍ରଭାବିତ ଅଂଚଳରେ ଶିକ୍ଷକମାନଙ୍କ ସୁବିଧା ଓ ରହଣି ପାଇଁ ଟିଚର୍ ବାରାକ ନିର୍ମାଣ ପାଇଁ ପାଇଲଟ୍ ପ୍ରୋଜେକ୍ଟ ଭାବେ ସ୍ୱାଭିମାନ ଅଂଚଳରେ କାମ ଚାଲିଛି । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଓ ନିର୍ଦ୍ଦେଶ ପରେ ଏହି ବ୍ୟବସ୍ଥା ମଧ୍ୟ ସବୁଠି କରିବାକୁ ଯୋଜନା ରହିଛି ବୋଲି କହିଛନ୍ତି ସେ । ଆଗକୁ ପ୍ରାଥମିକ ଶିକ୍ଷକ ନିଯୁକ୍ତି ଦିଆଯିବ ଏବଂ ଏ ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିବେବୋଲି କହିଛନ୍ତି ଗଣ ଶିକ୍ଷା ମନ୍ତ୍ରୀ । ୨୦୧୬ରୁ ବନ୍ଦ ଥିବା ଏହି ପ୍ରକ୍ରିୟା ପୁଣି ଚାଲୁକରି ପ୍ରାୟ ୨୦ ହଜାର ପ୍ରାଥମିକ ଶିକ୍ଷକ ପଦବୀ ପୂରଣ ହେବ ବୋଲି ସେ ସୂଚନା ଦେଇଛନ୍ତି ।
