ଶଳାର ଭୋଜି ଖାଇବାକୁ ଯାଇ ଭିଣୋଇ ନିଖୋଜ
ଖୋର୍ଦ୍ଧା : ଶଳାର ବିବାହ ଭୋଜି ଖାଇବାକୁ ଯାଇ ଭିଣୋଇ ପାଣିରେ ବୁଡି ନିଖୋଜ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳୁଛି ବୋଲଗଡ ଥାନା ହାଟବସ୍ତ ଗ୍ରାମରେ । ସୂଚନା ଅନୁଯାୟୀ, ଗତକାଲି ପୁବୁସାହି ଗ୍ରାମର ବାପି ସାମନ୍ତରାୟ ହାଟବସ୍ତ ସ୍ଥିତ ନିଜ ଶଳା ଦିପୁ ଚମ୍ପତିଙ୍କ ବିବାହ ଭୋଜିରେ ଯୋଗ ଦେବାକୁ ଯାଇଥିଲେ । ଗତକାଲି ବିଳମ୍ବିତ ରାତିରେ ବାପି କିଛି ଯୁବକଙ୍କ ସହ ହାଟବସ୍ତ ଗ୍ରାମ ନିକଟରେ ଥିବା ବେଗୁନିଆ ପୋଖରୀ କୁଳରେ ମଦ୍ୟପାନ କରୁଥିଲେ । ତେବେ ଅସାବଧାନତା ହେତୁ ସେ ପୋଖରୀ ଭିତରକୁ ଗଳି ପଡି ନିଖୋଜ ହୋଇଯାଇଥିଲେ । ଏନେଇ ଗ୍ରାମବାସୀ ବୋଲଗଡ଼ ଅଗ୍ନିଶମ ବାହିନୀକୁ ରାତିରେ ଖବର ଦେଇଥିଲେ । ଖବର ପାଇ ବୋଲଗଡ଼ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ରାତିସାରା ପୋଖରୀରେ ଖୋଜାଖୋଜି କରିଥିଲେ । ହେଲେ ଅଗ୍ନିଶମ ବାହିନୀ ବାପିଙ୍କର କୌଣସି ଖୋଜ ଖବର ପାଇନଥିଲେ । ସେହିପରି ଗୁରୁବାର ସକାଳୁ ଖୋର୍ଦ୍ଧାରୁ ଏକ ଓଡ୍ରାଫ ଟିମ୍ ଘଟଣାସ୍ଥଳରେ ପହଞ୍ଚି ବୋଲଗଡ ଅଗ୍ନିଶମ ବାହିନୀ ସହିତ ମିଳିତ ଭାବେ ପୋଖରୀରେ ଖୋଜାଖୋଜି ଜାରି ରଖିଥିବା ବେଳେ କିଛି ସନ୍ଧାନ ମିଳିନଥିବା ଜଣାପଡିଛି । ଏପରିକି ସ୍ଥାନୀୟ ଧୀବରମାନେ ମଧ୍ୟ ପୋଖରୀରେ ଖୋଜାଖୋଜି କରୁଛନ୍ତି ହେଲେ ଏ ପର୍ଯ୍ୟନ୍ତ ନିଖୋଜ ବାପି ସାମନ୍ତରାୟ ସନ୍ଧାନ ମିଳିପାରିନାହିଁ ।
