ଗାଁ’ କଲ୍ୟାଣ ସମିତି ଗୁଡିକ ଶିଶୁ ମଙ୍ଗଳ ଓ ଶିଶୁ ସୁରକ୍ଷା କମିଟି ଭାବରେ କାର୍ଯ୍ୟ କରିବ
ନବରଙ୍ଗପୁର : ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ମଙ୍ଗଳବାର ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତରଫରୁ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଉଦ୍ଦେଶ୍ୟରେ ଜିଲ୍ଲାରେ ଶିଶୁମାନଙ୍କର ସୁରକ୍ଷା ଓ ବିକାଶ ଦିଗରେ କାର୍ଯ୍ୟ କରୁଥିବା ୪ଟି କମିଟି ଯଥା ଜିଲ୍ଲା ସ୍ତରୀୟ ଶିଶୁ ସୁରକ୍ଷା କମିଟି, କିଶୋରୀ ସଶକ୍ତୀକରଣ ଓ ବାଲ୍ୟବିବାହ ପ୍ରତିରୋଧ ଟାସ୍କ ଫୋର୍ସ, ଶିଶୁ ଶ୍ରମିକ ନିରାକରଣ ଏବଂ ଚାଇଲ୍ଡ ଲାଇନ ପରାମର୍ଶଦାତା କମିଟିର ମିଳିତ ବୈଠକ ମଙ୍ଗଳବାର ଜିଲ୍ଲାପାଳ ଡ. କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ମିଳିତ ବୈଠକରେ ଜିଲ୍ଲାପାଳ ଡ. ମିଶ୍ର ଅଧ୍ୟକ୍ଷତା କରି କହିଲେଯେ ଜିଲ୍ଲାରେ ବିଭିନ୍ନ ବିଭାଗ ଗୁଡିକ ମଧ୍ୟରେ ଉତ୍ତମ ସମ୍ପର୍କ ରଖି,ସମସ୍ତ ଶିଶୁ ମାନଙ୍କୁ ସୁରକ୍ଷା ଦେବା ସହିତ ନବରଙ୍ଗପୁର ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ କରିବା ଦିଗରେ ଏହି ସମନ୍ଵୟ ବୈଠକ ସହାୟକ ହୋଇ ପାରିବ।
ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲାରେ ଥିବା ଗାଁ କଲ୍ୟାଣ ସମିତି ଗୁଡିକ ଶିଶୁ ମଙ୍ଗଳ ଓ ଶିଶୁ ସୁରକ୍ଷା କମିଟି ଭାବରେ କାର୍ଯ୍ୟକରିବା ସହିତ ଏହି କମିଟିର ବୈଠକ ସମସ୍ତ ରାଜସ୍ୱ ଗ୍ରାମ ଗୁଡିକରେ କରାଯିବା ପାଇଁ ଜିଲ୍ଲାପାଳ ଡଃ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ ବୈଠକ ପ୍ରାରମ୍ଭରେ ସୂଚନା ଦେଇ କହିଥିଲେ ଯେ, ଜିଲ୍ଲାରେ ୧୦ ବ୍ଲକ୍ ଓ ୧୮୯ଟି ଗ୍ରାମ ପଞ୍ଚାୟତ ସ୍ତରରେ ଅନୁରୂପ ଭାବରେ ବ୍ଲକ୍ ଓ ପଞ୍ଚାୟତ ସ୍ତରରେ ଶିଶୁ ସୁରକ୍ଷା କମିଟି, କିଶୋରୀ ସଶକ୍ତୀକରଣ ଓ ବାଲ୍ୟବିବାହ ପ୍ରତିରୋଧ ଟାସ୍କ ଫୋର୍ସ, ଶିଶୁଶ୍ରମିକ ନିରାକରଣ କମିଟିର ବୈଠକ ଅନୁଷ୍ଠିତ ହୋଇଛି।
ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସ୍ଵର୍ଣ୍ଣଲତା ବିଶ୍ବାସ ବୈଠକ ଉଦ୍ଦେଶ୍ୟ ଜ୍ଞାପନ କରିବା ସହିତ ଚଳିତ ବର୍ଷ ଜିଲ୍ଲାରେ ମୋଟ ୨୨୫ଟି ବାଲ୍ୟବିବାହକୁ ବନ୍ଦ କରାଯିବା ସହିତ, ଆଜି ପର୍ଯ୍ୟନ୍ତ ୪୫୫ଟି ରାଜସ୍ୱ ଗ୍ରାମ ଓ ୪୨୬ ପଡାଗ୍ରାମକୁ ମିଶାଇ ମୋଟ ୮୮୧ ଗ୍ରାମକୁ ପ୍ରଶାସନ ତରଫରୁ ବାଲ୍ୟବିବାହ ମୁକ୍ତ ଗ୍ରାମଭାବରେ ଘୋଷଣା କରାଯିବା ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟି, ଜିଲ୍ଲା ସମାଜ କଲ୍ୟାଣ ବିଭାଗ, ୟୁନିସେଫ୍ ଓ ଆକ୍ସନଏଡର ମିଳିତ ପ୍ରୟାସରେ ଏକ ଯୋଜନାବଦ୍ଧ କାର୍ଯ୍ୟକ୍ରମ ପ୍ରସ୍ତୁତି କରାଯାଇ ଗ୍ରାମ ଗୁଡିକରେ ସଚେତନତା କାର୍ଯ୍ୟକ୍ରମ ଚାଲୁଥିବାର ସୂଚନା ଦେଇଥିଲେ। ପରେ ପରେ ଆକ୍ସନଏଡ୍ର ଜିଲ୍ଲା ପରାମର୍ଶ ଦାତା ଫକିର ଚରଣ ରାଉତ ଶିଶୁ ମାନଙ୍କର ସୁରକ୍ଷା ଓ ବାଲ୍ୟ ବିବାହର ସମାପ୍ତ ଉଦ୍ଦେଶ୍ୟରେ ଜିଲ୍ଲାରେ ନିଆଯାଇ ଥିବା ବିଭିନ୍ନ ପଦକ୍ଷେପ ଓ ଆଗାମୀ ଦିନର କାର୍ଯ୍ୟକ୍ରମ ଉପରେ ବୈଠକରେ ଉପସ୍ଥାପନା କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶିଶୁମଙ୍ଗଳ ସମିତିର ଅଧ୍ୟକ୍ଷ ଦିବାକର ବାହୁକ, ଡ଼ିଏସ୍ପି ଚନ୍ଦ୍ରଶେଖର ହୋତା, ଜିଲ୍ଲା ମଙ୍ଗଳ ଅଧିକାରୀ ସ୍ମୃତି ରଞ୍ଜନ ସାମନ୍ତରାୟ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର, ଡ. ମଳୟ ତ୍ରିପାଠୀ, ସହକାରୀ ଶିକ୍ଷା ଅଧିକାରୀ ବିଶ୍ଵନାଥ ସାହୁ, ସହକାରୀ ଶ୍ରମ ଅଧିକାରୀ ଛୋଟରାୟ ଟୁଡୁ, ସହାୟକ ଯୋଗାଣ ଅଧିକାରୀ ଏନ୍. ଲକ୍ଷ୍ମଣ ରାଓ, ବାଲ୍ୟବିବାହ ନିଶେଧ ଅଧିକାରୀ ସୁନିତା ଦେବୀ ତ୍ରିପାଠୀ, ଏସ୍ ଗୀତା, ଶୈଳେନ୍ଦ୍ରି ମହାନନ୍ଦ, ଯମୁନା ଭତ୍ରା, ଗୀତା ମହାରଣା, ବିରଜା ମୋହିନୀ ପାଙ୍ଗି, କାଞ୍ଚନ ପଣ୍ଡା, ଗୀତାଞ୍ଜଳି ମିଶ୍ର, ସୁରମା ମହାପାତ୍ର, ପ୍ରୋଟେସ୍କନ ଅଫିସର ବଳାପଦ୍ମା, ଚାଇଲ୍ଡ ଲାଇନ ସଂଯୋଜକ ରବୀନ୍ଦ୍ର ପ୍ରଧାନ, ୱାନ୍ଷ୍ଟପ୍ କେନ୍ଦ୍ରର କର୍ମକର୍ତ୍ତା ପ୍ରମୁଖ ଉପସ୍ତିତ ରହିବା ସହିତ ଆଲୋଚନାରେ ଅଂଶଗ୍ରହଣ କରି ଜିଲ୍ଲାରେ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ, ଶିଶୁ ଶ୍ରମିକ ନିରାକରଣ ଏବଂ ବାଲ୍ୟ ବିବାହର ସମାପ୍ତ ଦିଗରେ ନିଜର ମତାମତ ପ୍ରଦାନ କରିଥିଲେ। ଶେଷରେ ସହାୟକ ସମାଜ କଲ୍ୟାଣ ଅଧିକାରୀ ମଧୁସୂଦନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
