ଅଣୁ ଚଳଚ୍ଚିତ୍ର ମିଆଁ ବିବି ଔର ବନାନାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅପମାନର ପ୍ରତିବାଦ ଭିଏଚପି-ବଜରଙ୍ଗ ଦଳ ପକ୍ଷରୁ ଦୀପ ପ୍ରଜ୍ଜ୍ୱଳନ ଓ ସ୍ମାରକପତ୍ର ପ୍ରଦାନ
ବାରିପଦା : ବିବାଦୀୟ ଅଣୁ ଚଳଚ୍ଚିତ୍ର ମିଆଁ ବିବି ଔର ବନାନାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଅପମାନ କରାଯାଇ ଥିବାର ଅଭିଯିଗକରି ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ମୟୂରଭଂଜ ଜିଲ୍ଲା ଶାଖା କ୍ଷୁଦ୍ର କଥାଚିତ୍ରଟିର ନିର୍ମାତା ନିନା ଶ୍ରୀବାସ୍ତବଙ୍କ ଗିରଫଦାରୀ ଦାବି କରାଯାଇଛି ।ବରିଷ୍ଠ ଭିଏଚପି ନେତା କବିବିଷ୍ଣୁ ଶତପଥୀଙ୍କ ନେତୃତ୍ୱରେ ଗୌରହରି ପାତ୍ର, ବିଶ୍ୱଜିତ ରଣା, ହେମଲତା ଦାସ, ବାଘା ସିଂ, ବିକାଶ ଶର୍ମା, କଳ୍ପତରୁ ରାୟବାବୁ, ସୁବ୍ରତ ମୁଖୀ, ଅବିନାଶ ମୁଖୀ, ଯତୀନ୍ଦ୍ର ମହାପାତ୍ର, ଶୁଭମ ତ୍ରିପାଠୀ ପ୍ରମୁଖ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଚଳଚ୍ଚିତ୍ରରେ ଏକ ମଶାକୁ ଜଗନ୍ନାଥ ବୋଲି ନାମ ଦିଆଯାଇ ଥିବା ବେଳେ ତାର ଅପମୃତ୍ୟୁ ହେବା ପରେ ଅନ୍ୟ ଏକ ଚରିତ୍ର ବାହାରି ମୁଁ ଜଗନ୍ନାଥଙ୍କ ପତ୍ନୀ ନାରାୟଣୀ ଓ ମୋ ସ୍ୱାମୀ ମରିଯିବାରୁ ମୁଁ ବିଧବା ହୋଇଗଲି ବୋଲି ଯେମିତି ଘୋଷଣା କରିଛି, ସେସବୁକୁ ପରିଷଦ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ଏହି ପରିପ୍ରେକ୍ଷୀରେ ଭିଏଚପି ଓ ବଜରଙ୍ଗ ଦଳ କର୍ମକର୍ତା ମାନେ ଜଗନ୍ନାଥ ସଂସ୍କୃତିର ସୁରକ୍ଷା ପାଇଁ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ପ୍ରାର୍ଥନା ଓ ଦୀପ ପ୍ରଜ୍ଜ୍ୱଳନ କରିବା ପରେ ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରାରେ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟକୁ ଯାଇ ଦାବୀପତ୍ର ପ୍ରଦାନ କରିଛନ୍ତି ।
