ଦେଶୀ ମଦ ସହିତ ଗାଡି ଜବତ, ୨ ଗିରଫ
କଟକ : ଜିଲ୍ଲା ଅବକାରୀ ବିଭାଗର କର୍ମଚାରୀମାନେ ଆଜି ସକାଳେ ବାରଙ୍ଗ ଥାନା ଅନ୍ତର୍ଗତ ଗୋଡିସାହି ଛକରେ ଜଗି ରହି କୋରଗାଁରୁ ପଟିଆକୁ ଚାଲାଣ ହେଉଥିବା ପ୍ରାୟ ୯ ଲକ୍ଷ ୫୦ ହଜାର ଟଙ୍କା ମୂଲ୍ୟର ଦେଶୀ ମଦ ଜବତ କରିଛନ୍ତି । ଏହି ଚୋରା କାରବାରେର ସଂପୃକ୍ତ ଆଠଗଡ ଦହିସରା ଗାଁର ସୂର୍ଯ୍ୟକାନ୍ତ ପାଢୀ(୩୮) ଓ ଆଠଗଡ ମେଘା ଗ୍ରାମର ବିଗିନି ସାହୁଙ୍କୁ ଗିରଫ କରାଯାଇଛି । ସେମାନେ ବ୍ୟବହାର କରିଥିବା ଓଡି-୦୨-ଏଆର-୫୬୧୦ ନମ୍ବରର ମହିନ୍ଦ୍ରା ପିକ୍ଅପ୍ ଭ୍ୟାନ୍କୁ ମଧ୍ୟ ଜବତ କରାଯାଇଛି । ବିଭାଗୀୟ ସୂତ୍ରରୁ ପ୍ରକାଶ ଯେ, ଆଗକୁ ଆସୁଛ ପାର୍ବଣ ଋତୁ । ଚୋରା ଦେଶୀ ବିଦେଶୀ ମଦ ବେପାରୀମାନେ ଏବେଠୁ ସକ୍ରିୟ ହୋଇପଡିଥିବାରୁ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ନିର୍ଦ୍ଦେଶ କ୍ରମେ ଗଠିତ ହୋଇଥିବା ସ୍କ୍ୱାଡ୍ ଏହି ଚୋରା କାରବାରେ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । ଆଜି ଅଭିଯୁକ୍ତଦ୍ୱୟ ଗାଡିରେ ପ୍ରାୟ ୩୨ଟି ୨୦ ଲିଟରିଆ ବ୍ୟାରେଲରେ ଦେଶୀ ମଦ ନେଇ ପଟିଆ ଯାଉଥିବା ବେଳେ ଖୋଦ୍ ଜିଲ୍ଲା ଅବକାରୀ ଅଧିକ୍ଷକ ଦେବାଶିଷ ପଟେଲଙ୍କ ସହିତ ଇନ୍ସପେକ୍ଟର ସଂଜିତ ବାର୍ଲା, ଏସଆଇ ଅଜିତ ପାତ୍ର, ଏଏସଆଇ ଦେବେନ୍ଦ୍ର ପାତ୍ର, ନିର୍ମଳ ବେହେରା ଓ ରମାକାନ୍ତ ରାଉତ ଗୋଡିସାହି ଛକଠାରେ ଗାଡିଟିକୁ ଅଟକାଇଥିଲେ । ତଲାସୀ ନେବାରେ ସେଥିରୁ କୋରଗାଁ ଜଙ୍ଗଲରେ ତିଆରି କରାଯାଇଥିବା ଏହି ପରିମାଣର ମଦ ଜବତ ହୋଇଥିଲା । ଆଜି ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।
କଟକ ମହାନଗର କ୍ରୀଡା ଭାରତୀ ଶାଖାର ବୈଠକ
