ଓଡିଶା ଅବକାରୀ ସିପାହୀ ସଂଘର ଜରୁରି ବୈଠକ
କଟକ : ଓଡିଶା ଅବକାରୀ ସିପାହୀ ସଂଘର ଏକ ଜରୁରି ବୈଠକ ସ୍ଥାନୀୟ ରେଡକ୍ରସ୍ ଭବନରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ତପନ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅବକାରୀ ସିପାହୀମାନଙ୍କ ଚାକିରିକୁ ରାଜ୍ୟ କ୍ୟାଡର କରିବା ପାଇଁ ରଖିଥିବା ଯୋଜନାକୁ ଅବକାରୀ ସଚିବ ଆଶିଷ କୁମାର ସିଂହ ସ୍ଥଗିତ କରିଦେବାରୁ ତାଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ଏହାଛଡା ରାଜ୍ୟ ସରକାର ଅବକାରୀ ବିଭାଗରେ ସିପାହୀ ସଂଖ୍ୟା କମ୍ ଥିବାରୁ ପଦବୀ ବୃଦ୍ଧି କରିଥିବାରୁ ବୈଠକରେ କୃତଜ୍ଞତା ଜଣାଯାଇଥିଲା । ଏତଦ୍ ବ୍ୟତୀତ ସିପାହୀମାନଙ୍କର ବିଭିନ୍ନ ଅସୁବିଧା ସଂପର୍କରେ ଆଲୋଚନା କରାଯାଇ ସାଂଗଠନିକ ଶକ୍ତି ବୃଦ୍ଧି ନିମନ୍ତେ ପ୍ରତ୍ୟେକ ଜିଲ୍ଲାର ଶାଖା ସଂଘ ଗୁଡିକ ନିୟମି ସଭା ସମିତି କରି ଜିଲ୍ଲା ଅଧିକାରୀଙ୍କୁ ଜଣାଇବା ପାଇଁ ବୈଠକରେ ନିଷ୍ପିତି କରାଯାଇଥିଲା । ସେହିପରି ବିଭିନ୍ନ ଜିଲ୍ଲାରେ ସିପାହୀ ପଦ ଖାଲି ପଡିଥିବାରୁ ପଦବୀ ପୂରଣ ପାଇଁ ସରକାରଙ୍କ ପାଖରେ ଆବେଦନ କରିବା ଲାଗି ନିଷ୍ପତି ନିଆଯାଇଥିଲା । ଅନେକ ଜିଲ୍ଲାରେ ଏଏସଆଇ ପଦବୀ ଖାଲି ରହିଥିବାରୁ ସେଗୁଡିକୁ ଯଥାଶୀଘ୍ର ପଦୋନ୍ନତି ଭିତ୍ତିରେ ପୂରଣ କରିବା ନିମନ୍ତେ ଆବେଦନ କରିବାକୁ ନିଷ୍ପତି ହୋଇଥିଲା । ଏଥିସହ ଅବକାରୀ ସିପାହୀମାନଙ୍କ ବେତନ ବୃଦ୍ଧି, ରହିବା ନିମନ୍ତେ ବାସଗୃହ, ଟେନିଂ ତଥା ବିଭିନ୍ନ ପ୍ରକାର ଭତ୍ତା ଆଦି ସମସ୍ୟା ଉପରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତି କରାଯାଇଥିବା ସଭାପତି ଶ୍ରୀ ସ୍ୱାଇଁ ସୂଚନା ଦେଇଛନ୍ତି ।
