ଟ୍ରକ୍ – ବାଇକ୍ ଧକ୍କା, ଜଣେ ମୃତ
ଜୟପୁର : ଜୟପୁର ଦେଇ ଯାଇଥିବା ଜାତୀୟ ରାଜପଥ ନମ୍ବର ୨୬ର ଏୟାର ପୋର୍ଟ ଛକ ଠାରେ ବାଇକ ଓ ଟ୍ରକ ମଧ୍ୟରେ ଧକ୍କା ହୋଇଛି । ଫଳରେ ଘଟଣାସ୍ଥଳରେ ବାଇକ ଆରୋହିଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଉଛନ୍ତି ଜୟପୁର ସଦର ଥାନା ଅନ୍ତର୍ଗତ ବିଜେ ୨ର ନିର୍ମଳ ଦେ । ପୋଲିସର ସୂଚନା ଅନୁଯାଇ, ଟ୍ରକ ନମ୍ବର ଓଆର ୧୦ସି -୫୮୬୩ ରେ ତଶୁ ଭର୍ତି ହୋଇ ଜୟପୁର ଅଭିମୁଖେ ଆସୁଥିବା ବେଳେ ବାଇକ ଟି ମଧ୍ୟ ଜୟପୁର ଅଭିମୁଖେ ଆସୁଥିଲା । ସେହି ସମୟରେ ଦୁର୍ଘଟଣା ଘଟି ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି । ଏନେଇ ଜୟପୁର ସଦର ପୋଲିସ ପହଂଚି ଶବକୁ ଜବତ କରି ଜୟପୁର ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛି । ଅପରପକ୍ଷେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଏୟାର ପୋର୍ଟ ଛକରେ ଜାତୀୟ ରାଜପଥକୁ ଅବରୋଧ କରାଯାଇଥିଲା । ସଦର ପୋଲିସ ପହଂଚି ବୁଝାସୁଝା କରିବାରୁ ବିକ୍ଷୋଭକାରୀ ମାନେ ରାସ୍ତା ଅବରୋଧରୁ ଓହରିଥିଲେ । ଏନେଇ ପୋଲିସ ଟ୍ରକକୁ ଜବତ କରି ଏକ ଦୁର୍ଘଟଣା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
