ପିଲାଙ୍କୁ ଭଲ ମଣିଷ କରିବା ପାଇଁ ପିତାମାତା ଭଲ ମଣିଷ ହେବା ଦରକାର ମାଇଁ ଚାଇଲ୍ଡ ପ୍ଲେ ସ୍କୁଲର ପ୍ରଥମ ବାର୍ଷିକ ଉତ୍ସବ
ନୀଳଗିରି : ନୀଳଗିରିସ୍ଥିତ ମାଇଁ ଚାଇଲ୍ଡ ପ୍ଲେ ସ୍କୁଲର ପ୍ରଥମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳନ କରାଯାଇଥିବା ବେଳେ ମୁଖ୍ୟ ଅତିଥି ଭାବେ ନୀଳଗିରି ଏସ.ଡି.ପି.ଓ. ରୀତେଶ କୁମାର ମହାପାତ୍ର ଯୋଗ ଦେଇ ଛୋଟ ଛୋଟ ପିଲାମାନଙ୍କ ଭିତରେ ଥିବା ଲୁକାୟିତ ଗୁଣକୁ ପରିପ୍ରକାଶ କରିବାର ଦାୟିତ୍ୱ ମାଆ ବାପାଙ୍କର ବୋଲି ନିଜ ବକ୍ତବ୍ୟରେ ଶାଣିତ କରିଥିଲେ । ମୁଖ୍ୟ ବକ୍ତା ଭାବେ ରତ୍ନାକର ଟାଉନ ହାଇସ୍କୁଲର ପ୍ରଧାନ ଶିକ୍ଷକ ବିନୋଦ ବିହାରୀ ପଣ୍ଡା ମଂଚାସୀନ ରହି ନିଜ ବକ୍ତବ୍ୟରେ ପିଲାଙ୍କୁ ଭଲ ମଣଷଟି କରିବା ପାଇଁ ବାପା ମାଆ ଭଲ ମଣିଷ ହେବା ଆବଶ୍ୟକ ବୋଲି ଦିଗ୍ଦର୍ଶନ ଦେବା ସହ ସ୍ୱାମୀ ବିବେକାନନ୍ଦ ଅବଦୁଲ କାଲାମ ଙ୍କ ସ୍କୁଲ ଜୀବନୀ ଉପରେ ଆଲୋକପାତ କରିଥିଲେ । ସମ୍ମାନୀତ ବକ୍ତା ଭାବେ ସିଦ୍ଧି ବିନାୟକ ସ୍କୁଲର ଅଧ୍ୟକ୍ଷ ସୁଧାଂଶୁ ପଣ୍ଡା, ସମ୍ମାନୀତ ଅତିଥି ଭାବେ ଲମ୍ବୋଦର କର, ଡା. ଅରୁଣ କୁମାର ଗିରି , ଅନ୍ୟତମ ସମ୍ମାନୀତ ଅତିଥି ଭାବେ ସମାଜସେବୀ ତଥା ଶିଶିର ମହାପାତ୍ର ଫାଉଣ୍ଡେସନର ପ୍ରତିଷ୍ଠାତା ସବ୍ୟସାଚୀ ମହାପାତ୍ର (ଟୁବ୍ଲୁ) ମଂଚାସୀନ ରହି ଛୋଟ ଛୋଟ ପିଲାମାନଙ୍କୁ ଦିଗ୍ଦର୍ଶନ ଦେଇଥିଲେ । ସ୍କୁଲର ଅଧ୍ୟକ୍ଷ ବିଦ୍ୟା ହରିଚନ୍ଦନ ମିଶ୍ର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ପ୍ରତିଷ୍ଠାତା ଅଂଜନା ମହାରଣା ଅତିଥି ପରିଚୟ ପ୍ରଦାନ କରିଥିଲେ । ପରେ କୁନି କୁନି ପିଲାମାନଙ୍କ ଦ୍ୱାରା ସାଂସ୍କୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
