ଦେଶରେ ଆଉ ୧୨,୫୧୪ କରୋନା ସଂକ୍ରମିତ ଚିହ୍ନଟ ଓ ୨୫୧ ମୃତ
ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ଅଧିକ ନମୁନା ପରୀକ୍ଷଣ ସତ୍ତ୍ୱେ ସେହି ଅନୁସାରେ କମ୍ ସଂକ୍ରମିତ ଚିହ୍ନଟ ହେବା ମଧ୍ୟ ଆଶ୍ବସ୍ତିକର ବିଷୟ ହୋଇଛି । ଭାରତରେ କରୋନା ମହାମାରୀର ୨ୟ ଲହର ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ଦେଶରେ ଗତ କିଛି ଦିନ ହେଲାଣି ସଂକ୍ରମଣ ୧୦ରୁ ୨୦ହଜାର ଭିତରେ ରହୁଛି । ଏହା ମଧ୍ୟରେ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ସହିତ ମୃତ୍ୟୁସଂଖ୍ୟାରେ ହଠାତ ବଡଧରଣର ବୃଦ୍ଧି ପରିଲକ୍ଷିତ ହୋଇଛି । ଦେଶରେ ଦୈନିକ ସଂକ୍ରମଣ ସଂଖ୍ୟା ୧୫ ହଜାରରୁ କମ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୨୦୦ରୁ ଅଧିକ ଅଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳାୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।
ସୋମବାର ଗତ ୨୪ଘଣ୍ଟାରେ ୧୨ହଜାର ୫୧୪ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୫୧ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି । ସେହିପରି ଦିନକରେ ୧୨ହଜାର ୭୧୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩କୋଟି ୪୨ଲକ୍ଷ ୮୫ହଜାର ୮୧୪କୁ ବୃଦ୍ଧି ପାଇ ଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୪ଲକ୍ଷ ୫୮ହଜାର ୪୩୭ରେ ପହଞ୍ଚିଛି । ଅନ୍ୟପକ୍ଷରେ ୩କୋଟି ୩୬ଲକ୍ଷ ୬୮ହଜାର ୫୬୦ ଜଣ ସୁସ୍ଥ ହୋଇଥିବା ବେଳେ ୧ଲକ୍ଷ ୫୮ହଜାର ୮୧୭ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି । ଗତ ୨୪୮ ଦିନ ମଧ୍ୟରେ ଏହା ହେଉଛି ସର୍ବନିମ୍ନ ସକ୍ରିୟ ସଂକ୍ରମଣ। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୧,୦୬,୩୧,୨୪,୨୦୫ ହିତାଧିକାରୀଙ୍କୁ ଟିକା ଦିଆଯାଇଛି। ସେହିପରି ‘ଆଇସିଏମ୍ଆର୍’ କହିବା ଅନୁସାରେ, ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ଅକ୍ଟୋବର ୩୧ ତାରିଖ ସୁଦ୍ଧା ସମୁଦାୟ ୬୦,୯୨,୦୧,୧୯୪ ପରୀକ୍ଷା କରାଯାଇଛି। ଗତକାଲି ପରୀକ୍ଷା ହୋଇଛି ୮,୮୧,୩୭୯ଟି ନମୁନା।
