ଜାପାନର ଶାସକ ଦଳକୁ ଦୃଢ ସଂଖ୍ୟା ଗରିଷ୍ଠତା : ପ୍ରଧାନମନ୍ତ୍ରୀ କିଶିଦା ବିଜୟୀ ଘୋଷିତ
ଟୋକିଓ : ଜାପାନରେ ବିଜୟୀ ଘୋଷିତ ହେଲା ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ ଦଳ । ନିର୍ବାଚନରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ମଧ୍ୟରେ ଜାପାନର ପ୍ରଧାନମନ୍ତ୍ରୀ ତାଙ୍କର ଶାସକ ଦଳକୁ ଦୃଢ ସଂଖ୍ୟା ଗରିଷ୍ଠତା ପ୍ରଦାନ କରିବା ସହିତ ସୋମବାର ବିଜୟୀ ଘୋଷିତ ହୋଇଛନ୍ତି ।
ଦେଶରେ ଦୀର୍ଘକାଳରୁ ଶାସନ କରୁଥିବା ଲିବରାଲ ଡେମୋକ୍ରାଟିକ ପାର୍ଟି (ଏଲଡିପି) ଏବଂ ତାହାର କନିଷ୍ଠ ସହଯୋଗୀ କୋମୋଇତୋକୁ ସଂସଦର ନିମ୍ନ ସଦନରେ ୪୬୫ ଆସନ ମଧ୍ୟରୁ ୨୯୩ ଆସନ ମିଳିଛି । ଏହା ଅତ୍ୟନ୍ତ କଡ଼ା ପ୍ରତିଦ୍ୱନ୍ଦ୍ୱିତା ଥିଲା । କିନ୍ତୁ ଜନସାଧାରଣ ଦେଶର ଭବିଷ୍ୟତକୁ ଏକ ସ୍ଥିର ସରକାର ନେତୃତ୍ୱରେ ବିକାଶ ପଥରେ ନେଇଯିବାକୁ ଏଲଡିପି-କୋମେଇତୋ ସରକାରକୁ ଭୋଟ ଦେଇଥିବା କିଶିଦା ପ୍ରଶାସନ ପକ୍ଷରୁ କୁହାଯାଇଛି । ସୂଚନା ଯେ, କିଶିଦା ଏକମାସ ହେଲା ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବରୁ ଏହି ମେଣ୍ଟ ସଂସଦରେ ମୋଟ ୩୦୫ ଆସନ ହାସଲ କରିଥିଲା ।
