ରାଜ୍ୟରେ ଆଉ ୩୧୬ କରୋନା ସଂକ୍ରମିତ ଚିହ୍ନଟ
- ଗତ ୨୪ ଘଣ୍ଟାରେ ୦ରୁ ୧୮ ବର୍ଷର ୫୧ ଜଣ ପଜିଟିଭ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଉପରତଳ ହେଉଛି ମହାମାରୀ କରୋନା ଗ୍ରାଫ୍ । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ତଳକୁ ଖସୁଛି । ସେପ୍ଟେମ୍ବର ପରେ ଅକ୍ଟୋବର ବି ଆଣିଦେଉଛି ଆଶ୍ୱସ୍ତିକର ଖବର । ଏହାରି ମଧ୍ୟରେ ସୋମବାର ୨୨ଟି ଜିଲା ଏବଂ ରାଜ୍ୟ ପୁଲରୁ ଗତ ୨୪ ଘଣ୍ଟା ମଧ୍ୟରେ ୩୧୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୮୬ ଓ ସ୍ଥାନୀୟ ଅଞ୍ଚଳରୁ ୧୩୦ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୫୧ ଜଣ ପଜିଟିଭ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୪୧ହଜାର ୭୭୩କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ବାଲେଶ୍ୱର ଜିଲାରୁ ୩ ଜଣ ଥିବାବେଳେ ଭଦ୍ରକରୁ ଜଣେ, ବଲାଙ୍ଗୀରରୁ ୧୦ଜଣ, କଟକରୁ ୩୨ଜଣ, ଢେଙ୍କାନାଳରୁ ୪ଜଣ, ଗଜପତିରୁ ଜଣେ, ଗଞ୍ଜାମରୁ ୪ଜଣ, ଜଗତସିଂହପୁରରୁ ୪ଜଣ, ଯାଜପୁରରୁ ୯ଜଣ, ଝାରସୁଗୁଡ଼ାରୁ ୨ଜଣ, କଳାହାଣ୍ଡିରୁ ଜଣେ, କନ୍ଧମାଳରୁ ଜଣେ, କେନ୍ଦ୍ରାପଡ଼ାରୁ ୮ଜଣ, ଖୋର୍ଦ୍ଧାରୁ ୧୫୨ଜଣ, ମାଲକାନଗିରିରୁ ଜଣେ, ମୟୁରଭଞ୍ଜରୁ ୨୮ଜଣ, ନୟାଗଡ଼ରୁ ୩ଜଣ, ପୁରୀରୁ ୨ଜଣ, ରାୟଗଡ଼ାରୁ ଜଣେ, ସମ୍ବଲପୁରରୁ ୭ଜଣ, ସୋନପୁରରୁ ଜଣେ, ସୁନ୍ଦରଗଡ଼ରୁ ୬ଜଣ ଓ ରାଜ୍ୟ ପୁଲରୁ ୩୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୧୦ଲକ୍ଷ ୪୧ହଜାର ୭୭୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୧୦ଲକ୍ଷ ୨୯ହଜାର ୧୪୭ ଜଣ ସୁସ୍ଥ ହୋଇଥିବା ବେଳେ ୪ହଜାର ୨୩୭ ଜଣ ସକ୍ରିୟ ମାମଲା ରହିଛି । ଏବେ ସୁଦ୍ଧା ରାଜ୍ୟରେ ୨,୨୦,୫୭,୯୯୪ ସାମ୍ପୁଲ ଟେଷ୍ଟ୍ ହୋଇଛି ।
