ଗାଁକୁ ରାସ୍ତା ବି ନାହିଁ, ବନ୍ୟା ହେଲେ ଜଳବନ୍ଦୀ! ଭୋଟ୍ ବର୍ଜନ କରିବେ ରେମୁଣା ବରବାଙ୍କବାସୀ
ବାଲେଶ୍ୱର : ବର୍ଷ ବର୍ଷ ଧରି ଆମେ ବହୁତ କଷ୍ଟ ପାଇଲୁଣି । ଅଭିଯୋଗ, ଆନ୍ଦୋଳନ, ବିକ୍ଷୋଭ କରି ଥକି ଗଲୁଣି । ରାଜନେତାଙ୍କ ଠାରୁ ଆରମ୍ଭ କରି ଜିଲା ପ୍ରଶାସନ, ସମସ୍ତେ ଆମ ସମସ୍ୟା ବିଷୟରେ ଜାଣନ୍ତି । ସମବେଦନା ଦେଖାଇ ସମସ୍ୟାର ସମାଧାନ କରିବାକୁ ମିଠା ପ୍ରତିଶ୍ରୁତି ବି ଦିଅନ୍ତି । ହେଲେ ସବୁ ପ୍ରତିଶ୍ରୁତି ପାଣିର ଗାର । ଏତେ ବର୍ଷା ଆଉ ବନ୍ୟାରେ ବି ଗାଁ ସମସ୍ୟା ପ୍ରତି କେହି ଗୁରୁତ୍ୱ ଦେଲେ ନାହିଁ । ମିଛ ପ୍ରତିଶ୍ରୁତିର ମଧ୍ୟ ସୀମା ଅଛି । ଆଉ ଆମେ କାହାକୁ ଫେରାଦ ହେବୁନି । ଯେଉଁମାନଙ୍କୁ ଭୋଟ ଦେଇ ଗାଁର ବିକାଶ ଆଶା କରିଥିଲୁ, ସେମାନେ ସାବତପୁଅ ଭଳି ଦେଖିଲେ । ତେଣୁ ଆସନ୍ତା ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛୁ । ବାଲେଶ୍ୱର ସହର ଠାରୁ ୧୦ କିମି ଦୂର ରେମୁଣା ବ୍ଲକ ବରବାଙ୍କ ଗ୍ରାମବାସୀଭ୍କର ଏହା ହେଉଛି ଅଭିମାନଭରା କ୍ଷେଦୋକ୍ତି ।
ସ୍ୱାଧାନତାର ଏତେ ବର୍ଷ ପରେ ବି ମୌଳିକ ସୁବିଧା ପାଇବା ପାଇଁ ସଂଘର୍ଷ କରୁଛନ୍ତି ବରବାଙ୍କ ଗ୍ରାମବାସୀ । ରାସ୍ତା ନାହିଁ, ପିଇବା ପାଣି ପାଇଁ ଦହଗଞ୍ଜ ହେବାକୁ ପଡୁଛି । ବନ୍ୟା ହେଲେ ଦିନ ଦିନ ଧରି ଜଳବନ୍ଦୀରେ ରୁହନ୍ତି ଗ୍ରାମବାସୀ । ଘରୁ ପଦାକୁ ବାହାରିବା ଠଫ୍ ହୋଇଯାଏ । ବଜାରକୁ ଆସିବା ପାଇଁ ପାଣିରେ ପହଁରି ପହଁରି ଆସିବାକୁ ପଡ଼େ । ଗଙ୍ଗାହାର ନଦୀ ପାଖରେ ରହିଥିବା ଏହି ଉପାନ୍ତ ଗାଁକୁ ଆମ୍ବୁଲାନ୍ସ ଯାଇପାରେ ନାହିଁ । ଫଳରେ ରୋଗୀଙ୍କୁ ଖଟିଆରେ ବୋହିବାକୁ ପଡ଼ିଥାଏ । ଗ୍ରାମର ୬୦ ପରିବାର ବିଶେଷ କରି ରାସ୍ତା ପାଇଁ ଦୀର୍ଘ ବର୍ଷ ହେଲା ସମସ୍ୟାରେ ଘାଣ୍ଟି ହେଉଛନ୍ତି । ବର୍ଷା କିମ୍ବା ବନ୍ୟା ସମୟରେ ସ୍କୁଲକୁ ପିଲାମାନେ ଯିବା ସମ୍ଭବପର ହୁଏନାହିଁ । ବନ୍ୟା ପାଣିରେ ଅଧିକାଂଶ ନଳକୂଅ ବୁଡ଼ିଯାଏ । ପିଇବା ପାଣି ପାଇଁ ଭାରି କଲବଲ ହୁଅନ୍ତି ଗ୍ରାମବାସୀ । ଗାଁରେ କାହାର ଝିଅ ବାହାଘର ହେଲେ ପୋଲ ଆରପଟ ଥିବା କାକବରେଇ ଗାଁରେ ଗାଡ଼ି ରଖି ବର ଓ ବରଯାତ୍ରୀ ଚାଲି ଚାଲି ଆସିଥାନ୍ତି । ଗାଁକୁ ରାସ୍ତା ଓ ନଦୀ ଉପରେ ପୋଲ ନିର୍ମାଣ ପାଇଁ ରାଜନେତାଙ୍କ ଠାରୁ ଆରମ୍ଭ କରି ଜିଲାପାଳଙ୍କ ପର୍ଯ୍ୟନ୍ତ ସଭିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଗ୍ରାମବାସୀ । ହେଲେ ବିଡ଼ମ୍ବନା, କେହି ଗୁରୁତ୍ୱ ଦେଇନାହାନ୍ତି । ଶେଷରେ ଭାଗ୍ୟକୁ ଆଦରି ନଦୀ ଉପରେ ନିଜସ୍ୱ ଶ୍ରମଦାନ ଓ ଟଙ୍କା ଖର୍ଚ୍ଚ କରି ବାଉଁଶ ପୋଲ ତିଆରି କରିଛନ୍ତି ଗ୍ରାମବାସୀ । ଆଉ ବର୍ଷ ସାରା ଏହି ପୋଲ ହିଁ ଯାତାୟତରେ ମୁଖ୍ୟ ମାଧ୍ୟମ ପାଲଟିଛି ।
ସେପଟେ ନଦୀବନ୍ଧରେ ପଥର ପ୍ୟାକିଂ କରାଯାଇନଥିବାରୁ ଅତଡ଼ା ଧସିବା ସହ କୂଳ ଖାଉଛି । ଗ୍ରାମବାସୀଙ୍କ ପାଇଁ ବର୍ତ୍ତମାନ ଏହା ବଡ଼ ବିପଦ ସାଜିଛି । ୨୦ ବର୍ଷ ହେଲା ଏ ବାବଦରେ ଅଭିଯୋଗ କରିଆସୁଥିବା ଗ୍ରାମର ଲକ୍ଷ୍ମୀଧର ସାନ୍ତରା, ସାବିତ୍ରୀ ପ୍ରଧାନ, ପ୍ରଭାକର ପ୍ରଧାନ, ସନ୍ତୋଷ ସାନ୍ତରା, ରଘୁନାଥ ପ୍ରଧାନ, ରାଜେନ୍ଦ୍ର ଜେନା, ଉମାକାନ୍ତ ଜେନା, ବୃନ୍ଦାବନ ଜେନା, ରବୀନ୍ଦ୍ର ପ୍ରଧାନ, ବାଞ୍ଛାନିଧି ଜେନା, ବଳଭଦ୍ର ପରିଡ଼ା, ସରସ୍ୱତୀ ଜେନା, ମଧୁ ପ୍ରଧାନ, ଅରୁଣ ପ୍ରଧାନ, ବାବୁଲି ସାନ୍ତରା, ବୈତନ୍ୟ ସାନ୍ତରା, ହରିଶ୍ଚନ୍ଦ୍ର ପ୍ରଧାନ, ଶିରୀଶ ପ୍ରଧାନ, ହରିଶ୍ଚନ୍ଦ୍ର ପ୍ରଧାନଙ୍କ ସହିତ ଗାଁ ଲୋକଙ୍କର ଧୈର୍ଯ୍ୟଚ୍ୟୁତି ଘଟିସାରିଲାଣି । ଗ୍ରାମବାସୀଙ୍କ ଦାବି ପରେ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା କାମ ଆରମ୍ଭ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ହେଲେ ଆଜି ପର୍ଯ୍ୟନ୍ତ ପୋଲ କିମ୍ବା ରାସ୍ତା, କିଛି ହେଲାନି । ଏହାର ପ୍ରତିବାଦରେ ଗ୍ରାମବାସୀ ଆଗାମୀ ପଞ୍ଚାୟତ ନିର୍ବାଚନ ବର୍ଜନ କରିବେ ବୋଲି ରୋକଠୋକ୍ ଜଣାଇ ଦେଇଛନ୍ତି ।
