ଲିଙ୍ଗରାଜ ମନ୍ଦିରରେ ମୋଦିଜୀଙ୍କ ଦୀର୍ଘାୟୁ କାମନା କରି ୭୧ଟି ଦୀପ ଜାଳିଲା ବିଜେପି
- ପ୍ରଧାନମନ୍ତ୍ରୀଙ୍କ ଜୀବନ ଯାତ୍ରା କାହାଣୀର ପ୍ରଦର୍ଶନୀ ମେଳା
- ସୈନିକ ଓ କୃଷକ ସମ୍ମାନ ପ୍ରଦାନ
ଭୁୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ୭୧ତମ ଜନ୍ମ ଦିବସ ଅବସରରେ ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ପ୍ରଭୁ ଶ୍ରୀ ଲିଙ୍ଗରାଜ ମନ୍ଦିରରେ ମୋଦିଜୀଙ୍କର ଦୀର୍ଘାୟୁ ଓ ନିରାମୟ ଜୀବନ କାମନା କରି ୭୧ଟି ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନ ଉପଲକ୍ଷେ “ସେବା ଓ ସମର୍ପଣ” କାର୍ଯକ୍ରମ ଆଜିଠାରୁ ଆରମ୍ଭ ହୋଇ ଆସନ୍ତା ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ । ଏହି ଉପଲକ୍ଷେ ଭାରତୀୟ ଜନତାପାର୍ଟି ଜିଲ୍ଲା ଯୁବମୋର୍ଚ୍ଚା ତରଫରୁ ରାଜ୍ୟ କାର୍ଯ୍ୟାଳୟଠାରେ ରକ୍ତଦାନ ଶିବିର, ମହିଳାମୋର୍ଚ୍ଚା ତରଫରୁ ପ୍ରତ୍ୟେକ ମେଡିକାଲ୍ରେ ଫଳ ବଂଟନ ଆଦି କରାଯାଇଛି । ୨୦ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦିଙ୍କର ଜନହିତକାରୀ କାର୍ଯ୍ୟକ୍ରମର ବାର୍ତା ମାନ ସାଧାରଣ ଜନତାଙ୍କ ପାଖରେ ପହଂଚାଇବା ପାଇଁ ପ୍ରୟାସ କରାଯିବ ବୋଲି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ମତବ୍ୟକ୍ତ କରିଛନ୍ତି । ଏହି ଉପଲକ୍ଷେ ଦଳର ୩୬ଗୋଟି ସାଂଗଠନିକ ଜିଲ୍ଲା, ସମସ୍ତ ମଣ୍ଡଳସ୍ତରରେ ସେବାମୂଳକ କାର୍ଯ୍ୟକ୍ରମ, କୃଷକ ଏବଂ ସୈନିକ ମାନଙ୍କୁ ସମ୍ବର୍ଦ୍ଧନା, ଦିବ୍ୟାଙ୍ଗ ମାନଙ୍କୁ ସହାୟତା ଆଦି ବିଭିନ୍ନ କାର୍ଯ୍ୟକ୍ରମମାନ ସପ୍ତାହେ ବ୍ୟାପୀ ପାଳନ କରାଯିବ ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବାଲ୍ୟକାଳରୁ ଏପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ତାଙ୍କ କୃତିତ୍ୱ ଜୀବନ ଚରିତ ସମ୍ବଳିତ ଫଟୋଚିତ୍ର ପ୍ରଦର୍ଶନୀ ରାଜ୍ୟ ସଭାପତି ସମୀର ମହାନ୍ତି ଓ ସାଂସଦ ଜୁଏଲ ଓରାମଙ୍କ ଦ୍ୱାରା ରାଜ୍ୟକାର୍ଯ୍ୟାଳୟ ଠାରେ ଉଦ୍ଘାଟିତ ହୋଇଯାଇଛି ।
ପ୍ରଧାନମନ୍ତ୍ରୀ ଦେଶସେବାରେ ୧୭ ରୁ ୧୮ ଘଂଟା ପରିଶ୍ରମ କରି ଦେଶବାସୀଙ୍କ ସେବାରେ ନିଜକୁ ନିୟୋଜିତ କରିଛନ୍ତି । ଏକକାଳୀନ ଭାବରେ ସର୍ବବୃହତମ ଗଣତାନ୍ତ୍ରିକ ଦେଶରେ ରାଷ୍ଟ୍ରରେ ଲଗାତାର ଭାବରେ ୨୦ବର୍ଷ ମା’ ଭାରତୀର ସେବା କରିବା ପାଇଁ ଜନପ୍ରତିନିଧି ହିସାବରେ ଯେଉଁ ସୁଯୋଗ ପାଇଛନ୍ତି, ଏହା ଆମ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ବୋଲି କହିବା ସହ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ତାଙ୍କର ଦୀର୍ଘାୟୁ କାମନା କରିଛନ୍ତି ଭୂବନେଶ୍ୱର ଜିଲ୍ଲା ବିଜେପି ସଭାପତି ବାବୁ ସିଂ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୧ତମ ଜନ୍ମ ଦିବସ ଅବସରରେ ଓଡିଶା ପ୍ରଦେଶ ଭାରତୀୟ ଜନତାପାର୍ଟି ତରଫରୁ ସେବା ଓ ସମର୍ପଣର ସମର୍ପିତ ମୋଦିଜୀଙ୍କ ଜୀବନଯାତ୍ରାର ସମାହାରକୁ ନେଇ ଏକ ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଛି । ଏହା ଆସନ୍ତା ଅକ୍ଟୋବର ୭ତାରିଖ ପର୍ଯ୍ୟନ୍ତ ରାଜ୍ୟ କାର୍ଯ୍ୟାଳୟ ଠାରେ ପ୍ରଦର୍ଶିତ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ପାଳନ ଅବସରରେ ଓଡିଶା କୃଷକ ମୋର୍ଚ୍ଚା ରାଜ୍ୟର ସୈନିକ ଓ ବିଭିନ୍ନ ଚାଷରେ କୃତିତ୍ୱ ଅର୍ଜନ କରିଥିବା ଭିନ୍ନ ଭିନ୍ନ ଚାଷୀ ମାନଙ୍କୁ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସମ୍ବର୍ଦ୍ଧନା କରାଯାଇଛି । ମୁଖ୍ୟ ଅତିଥି ଭାବେ ଭାରତୀୟ କିଷାନ ମୋର୍ଚ୍ଚାର ରାଷ୍ଟ୍ରୀୟ ସମ୍ପାଦିକା ଶୁଶ୍ରୀ ପିଙ୍କି ଶିବରାଜ ଶାହା କୃଷକ ଓ ସୈନିକ ମାନଙ୍କୁ ସମ୍ବୋଧନ କରି କହିଲେ ଯେ ଆମ ପ୍ରିୟ ପ୍ରଧାନମନ୍ତ୍ରୀ ମୋଦିଜୀ “ସବ୍କା ସାଥ୍ ସବ୍କା ବିଶ୍ୱାସ ଓ ସବ୍କା ପ୍ରୟାସ” ବଳରେ ଭାରତର କୃଷକ ଓ ସୈନିକ ମାନଙ୍କ ଉନ୍ନତି ପାଇଁ ଅନବରତ କାର୍ଯ୍ୟରତ ଅଛନ୍ତି ତାଙ୍କର ଉଦ୍ୟମ ଓ ନିଷ୍ଟା ରାଷ୍ଟ୍ର ନିର୍ମାଣ ପାଇଁ ଉର୍ଦ୍ଦିଷ୍ଟ ଅଟେ । ଏହି ଅବସରରେ ରାଜ୍ୟ ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ଉପସଭାନେତ୍ରୀ ଅନିତା ପ୍ରିୟଦର୍ଶନୀ, ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମହାନ୍ତି, ଠାକୁର୍ ରଞ୍ଜିତ୍ ଦାସ୍, ରମାରଞ୍ଜନ ବଳିୟାରସିଂ, ରାଜେନ୍ଦ୍ର ପଣ୍ଡା, ବୁଦ୍ଧଜିବୀ ପ୍ରକୋଷ୍ଠ ରାଜ୍ୟ ସଂଯୋଜକ ସଜ୍ଜନ ଶର୍ମା, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ରାଜ୍ୟ ସମ୍ପାଦିକା ପିଙ୍କି ପ୍ରଧାନ, ଲିଗାଲ ସେଲ୍ ସଂଯୋଜକ ରବି ପଟ୍ଟନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ହରେକୃଷ୍ଣ ଖୁଂଟିଆ, ଯୁବମୋର୍ଚ୍ଚା ଜିଲ୍ଲା ପ୍ରଭାରୀ ସଂଗ୍ରାମ କେଶରୀ ନାୟକ, ଯୁବମୋର୍ଚ୍ଚା ସଭାପତି ରଶ୍ମିରଞ୍ଜନ ମୁଦୁଲି, ଜିଲ୍ଲା ସାଧାରଣ ସମ୍ପାଦକ ଅଭିଷେକ୍ ଆଚାର୍ଯ୍ୟ, ଦିଲ୍ଲ୍ୀପ୍ ବେହେରା ଓ ହିଂମାଶୁ ଛୋଟରାୟ, ଜିଲ୍ଲା ମହିଳାମୋର୍ଚ୍ଚା ସଭାନେତ୍ରୀ ମନ୍ଦାକିନୀ ପାତ୍ର ଉପସ୍ଥିତ ଥିଲେ ।
