ଆଜି ଏବଂ କାଲି ସେବାୟତ ପରିବାରଙ୍କୁ ମହାପ୍ରଭୁଙ୍କ ଦର୍ଶନ
- ୨୩ରୁ ଆରମ୍ଭ ହେବ ସର୍ବସାଧାରଣ ଦର୍ଶନ
ପୁରୀ : ଖୋଲିଲା ଶ୍ରୀମନ୍ଦିର। ଦର୍ଶନ କରୁଛନ୍ତି ସେବକଙ୍କ ପରିବାର। ଆଜି ଓ କାଲି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ ସେବାୟତଙ୍କ ପରିବାର। ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ତଥା ମହାପ୍ରଭୁଙ୍କ ଦର୍ଶନ ପାଇଁ ପୂର୍ବବର୍ଷର କୋଭିଡ୍ କଟକଣାର ପୁନରାବୃତ୍ତି କରିଛି ଶ୍ରୀମନ୍ଦିର ପ୍ରଶାସନ। ପ୍ରଥମେ ସେବାୟତ ପରିବାର, ପରେ ପୁରୀବାସୀ ଓ ଶେଷରେ ସର୍ବସାଧାରଣ ଦର୍ଶନ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି। ସେହି ଅନୁସାରେ ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୂଆ ଏସ୍ଓପି (ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର) ଜାରି ହୋଇଛି। ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଦର୍ଶନ କରିପାରିବେ। ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ଠାରୁ ରାତ୍ର ପହୁଡ ପର୍ଯ୍ୟନ୍ତ ଯେକୌଣସି ଦ୍ବାର ଦେଇ ପ୍ରବେଶ ଓ ପ୍ରସ୍ଥାନ କରିପାରିବେ ସେବାୟତ ପରିଵାର। ଏଥିପାଇଁ ନିଜର ଭୋଟର କାର୍ଡ, ଆଧାର କାର୍ଡ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଥିବା ଯେକୌଣସି ପରିଚୟ ପତ୍ର ଦେଖାଇ ଶ୍ରୀମନ୍ଦିରକୁ ଯାଇପାରିବେ ସେବକ ପରିବାର। ସେହିପରି ଆସନ୍ତା ୧୬ରୁ ୨୦ ତାରିଖ ଭିତରେ ପୁରୀ ମୁନିସିପାଲିଟି ଅଂଚଳର ଲୋକେ ପର୍ଯ୍ୟାୟକ୍ରମେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ୨୩ ତାରିଖରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ। ଯେଉଁ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିବେ ସେମାନେ କୋଭିଡ କଟକଣା ମାନିବା ସହ କୋଭିଡ ନେଗେଟିଭ ରିପୋର୍ଟ କିମ୍ବା ଡବଲ ଡୋଜ ଟିକାର ପ୍ରମାଣପତ୍ର ସାଙ୍ଗରେ ଧରି ଆସିବେ। ତେବେ ସବୁ ଶନିବାର ଓ ରବିବାର ଦର୍ଶନ ବନ୍ଦ ରହିବ। ଏହି ଦୁଇ ଦିନ ମନ୍ଦିରକୁ ସାନିଟାଇଜ୍ କରାଯିବ ବୋଲି ଏସଓପିରେ ଦର୍ଶାଯାଇଛି। ଅନ୍ୟ ବଡ଼ ପର୍ବ ସମୟରେ ମନ୍ଦିର ବନ୍ଦ ରହିବ। ସାନିଟାଇଜେସନ, ମାସ୍କ ଓ ସାମାଜିକ ଦୂରତ୍ବକୁ ବାଧ୍ୟତାମୂଳକ କରାଯାଇଛି। ମନ୍ଦିର ଭିତରେ ଯେ କୌଣସି ମୂର୍ତ୍ତି ଛୁଇଁବାକୁ ବାରଣ କରାଯାଇଥିବା ବେଳେ, କେହି ଭିତରକୁ ଭୋଗ, ଫୁଲ ଏବଂ ଦ୍ବୀପ ନେଇପାରିବେ ନାହିଁ। ତେବେ ଆନନ୍ଦବଜାରରେ ମହାପ୍ରସାଦ ସେବନ ଉପରେ କଟକଣା ଥିବା ବେଳେ ଭକ୍ତମାନେ କେବଳ ଭୋଗ ପାର୍ସଲ ନେଇପାରିବେ।
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ଏସ୍ଓପି ଅନୁଯାୟୀ, ସେବକ ପରିବାରଙ୍କ ଦର୍ଶନ ପାଇଁ ମଙ୍ଗଳ ଆଳତିଠାରୁ ରାତ୍ର ପହୁଡ଼ ପର୍ଯ୍ୟନ୍ତ ଶ୍ରୀମନ୍ଦିର ଖୋଲାରହିବ। ସେବାୟତ ପରିବାରର ପରିଚୟପତ୍ର ଭାବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରଦତ୍ତ ସ୍ବାସ୍ଥ୍ୟ ବୀମାକାର୍ଡ ଅବା ଅନ୍ୟ ପରିଚୟପତ୍ର ସହ ଆଧାରକାର୍ଡ ଆଦି ଦେଖାଇବା ବାଧ୍ୟତାମୂଳକ କରାଯାଇଛି। କିନ୍ତୁ ପୁରୀ ସହରବାସୀ ହୁଅନ୍ତୁ କି ଜିଲ୍ଲା ଅବା ଜିଲ୍ଲା ବାହାର ଭକ୍ତ, ସମସ୍ତଙ୍କ ଦର୍ଶନ ପାଇଁ ସକାଳ ୭ରୁ ରାତି ୭ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିର ଖୋଲାରହିବ। ପୁରୀ ସହରବାସୀ ପରିଚୟପତ୍ର ଭାବେ ଆଧାରକାର୍ଡ ଅବା ଅନ୍ୟ ପ୍ରମାଣପତ୍ର ଦେଖାଇ ଦର୍ଶନ କରିପାରିବେ। ପରିବାର ପିଛା ଯେତେ ଜଣ ଦର୍ଶନ ପାଇଁ ଯିବେ, ସମସ୍ତଙ୍କୁ ପରିଚୟପତ୍ର ଦେଖାଇବାକୁ ପଡ଼ିବ। କୋଭିଡ୍ ନେଗେଟିଭ୍ ରିପୋର୍ଟ ଅବା କୋଭିଡ୍ ଡବଲ୍ ଡୋଜ୍ର ପ୍ରମାଣପତ୍ର ଦେଖାଇବାକୁ ପଡ଼ିବନି। ଅଗଷ୍ଟ ୨୩ରୁ ସର୍ବସାଧାରଣ ଦର୍ଶନ ପାଇଁ ନିୟମ ପରିବର୍ତ୍ତନ କରାଯାଇଛି। ପୁରୀବାସୀ ହୁଅନ୍ତୁ କି ଜିଲ୍ଲା ବାହାର ଭକ୍ତ, ଏହିଦିନଠାରୁ ସମସ୍ତଙ୍କୁ ଆଧାରକାର୍ଡ ଭଳି ପରିଚୟପତ୍ର ସାଙ୍ଗକୁ ୯୬ ଘଣ୍ଟାର କୋଭିଡ୍ ନେଗେଟିଭ୍ ପ୍ରମାଣପତ୍ର କିମ୍ବା କୋଭିଡ୍ ଡବଲ୍ ଡୋଜ୍ ଟିକା ନେଇଥିବାର ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ। ବିନା ପରିଚୟପତ୍ର ଓ ପ୍ରମାଣପତ୍ରରେ ଶ୍ରୀମନ୍ଦିର ପ୍ରବେଶ ନିଷେଧ କରାଯାଇଛି। ଅରୁଣ ସ୍ତମ୍ଭ, ଗରୁଡ଼ ସ୍ତମ୍ଭ ସହ ଶ୍ରୀମନ୍ଦିର ଭିତରେ ଦେବାଦେବୀଙ୍କ ପ୍ରତିମୂର୍ତ୍ତି ସ୍ପର୍ଶରେ କଟକଣା ଲଗାଯାଇଛି। ଶ୍ରୀମନ୍ଦିରକୁ ଦୀପ, ଧୂପ, ଫୁଲ, ଭୋଗ ଆଦି ନେବା ସହ ଦୀପ ଲଗାଇବାରେ କଟକଣା ଜାରି କରାଯାଇଛି। ଆନନ୍ଦ ବଜାର ହେଉ କି ଶ୍ରୀମନ୍ଦିର ବେଢ଼ା, ଭକ୍ତମାନେ ମହାପ୍ରସାଦ ସେବନ କରିପାରିବେନି। ଭକ୍ତମାନେ କେବଳ ମହାପ୍ରସାଦ କିଣିପାରିବେ। ଶ୍ରୀମନ୍ଦିର ଭିତରେ ପାନ, ଗୁଟ୍ଖା ସେବନ ଉପରେ କଟକଣା ଜାରି ହୋଇଛି। ଅମାନିଆଙ୍କୁ ୫ ଶହ ଟଙ୍କା ଜରିମାନା ନିର୍ଦ୍ଦେଶ ଦିଆଯାଇଛି। ପଲିଥିନ୍ ବ୍ୟବହାର ନିଷେଧ କରାଯାଇଛି। ଯଦି କେହି ପଲିଥିନ୍ ନେଇ ଧରାପଡ଼ନ୍ତି, ଶହେ ଟଙ୍କା ଜରିମାନା କରାଯିବ। ଭିନ୍ନକ୍ଷମଙ୍କ ପାଇଁ ସ୍ବତନ୍ତ୍ର ଧାଡ଼ି ବ୍ୟବସ୍ଥା କରାଯାଇଛି। ଭକ୍ତଙ୍କ ପାଇଁ ଜଗନ୍ନାଥ ବଲ୍ଲଭ ସହ ଅନ୍ୟାନ୍ୟ ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ୬୫ ବର୍ଷରୁ ଊର୍ଦ୍ଧ୍ବ, ୧୦ ବର୍ଷରୁ କମ୍ ବର୍ଷର ଶିଶୁ, ଗର୍ଭବତୀ ଆଦିଙ୍କୁ ଶ୍ରୀମନ୍ଦିର ନ ଆସିବାକୁ ମନ୍ଦିର ପ୍ରଶାସନ ନିବେଦନ କରିଛି।
