ଶ୍ରୀମନ୍ଦିର ପରିଚାଳନା କମିଟିର ପୁନଃଗଠନ
ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟି ପୁନର୍ଗଠିତ ହୋଇଛି। ଶ୍ରୀମନ୍ଦିରର ନୂଆ ପରିଚାଳନ କମିଟି ପାଇଁ ରାଜ୍ୟ ସରକାର ୧୦ ଜଣଙ୍କ ନାମକୁ ମନୋନୀତ କରିଛନ୍ତି। ରାଜ୍ୟ ସରକାର ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଅଶୋକ କୁମାର ମହାପାତ୍ର ମୁକ୍ତିମଣ୍ଡପ ପ୍ରତିନିଧିତ୍ୱ କରିବେ। ମାଧବ ଚନ୍ଦ୍ର ପୂଜାପଣ୍ଡା ପୂଜାପଣ୍ଡା ନିଯୋଗ, ଜଗନ୍ନାଥ କର ପୁଷ୍ପାଳକ ନିଯୋଗ, ମାଧବ ଚନ୍ଦ୍ର ମହାପାତ୍ର ପ୍ରତିହାରୀ ନିଯୋଗ, ଅନନ୍ତ ତିଆଡ଼ି ମହାସୁଆର ନିଯୋଗ, ରାଧାବଲ୍ଲଭ ମଠର ଦୁର୍ଗା ପ୍ରସାଦ ଦାସମହାପାତ୍ର ମଠ ଓ ଅନ୍ୟ ସଂସ୍ଥାରୁ ପ୍ରତିନିଧିତ୍ୱ କରିବେ। ସେହିପରି ପରିଚାଳନା କମିଟିରେ ଚାଟାର୍ଡ ଆକାଉଟାଣ୍ଟ ଶରତ ଚନ୍ଦ୍ର ବେହେରା, ପଦ୍ମଭୂଷଣ ଡ. ରମାକାନ୍ତ ପଣ୍ଡା ଓ ବାଳୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କୁ ସାମିଲ କରାଯାଇଛି।
ସେପଟେ ଆଜିଠାରୁ ଖୋଲିଛି ଶ୍ରୀମନ୍ଦିର। ପ୍ରଥମ ଦୁଇଦିନ ୧୨ ଓ ୧୩ ତାରିଖରେ ସେବାୟତଙ୍କ ପରିବାର ଲୋକେ ମହାପ୍ରଭୁଙ୍କୁ ଦର୍ଶନ କରିବେ। ୧୪ ଓ ୧୫ ତାରିଖ ସାପ୍ତାହିକ ଶଟ୍ଡାଉନ୍ ଥିବାରୁ ଶ୍ରୀମନ୍ଦିର ବନ୍ଦ ରହିବ। ୧୬ରୁ ୨୦ ତାରିଖ ପର୍ଯ୍ୟନ୍ତ ପୁରୀ ସହରବାସୀ ୱାର୍ଡ ୱାରୀ ମହାପ୍ରଭୁଙ୍କୁ ଦର୍ଶନ କରିବାର ସୁଯୋଗ ପାଇବେ। ସେମାନଙ୍କୁ ପୁରୀ ପୌରପାଳିକା ପକ୍ଷରୁ ଚିର୍କୁଟ୍ ପ୍ରଦାନ କରାଯିବ। ଏଥିସହ ଆଧାର କାର୍ଡ କିମ୍ବା ଭୋଟର ପରିଚୟପତ୍ର ଦେଖାଇବାକୁ ପଡ଼ିବ। ଗୋଟିଏ ଚିର୍କୁଟରେ ପରିବାରର ୬ ଜଣ ସଦସ୍ୟ ଶ୍ରୀମନ୍ଦିର ଭିତରକୁ ଯାଇପାରିବେ। ପୁରୀ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ କରିଥିବା ଏସ୍ଓପିକୁ ସେବୟତ ଓ ପୁରୀ ସହରବାସୀ ସ୍ୱାଗତ କରିଛନ୍ତି। କୋଭିଡ୍ କଟକଣାକୁ ପ୍ରାଥମିକତା ଦିଆଯାଇଛି। ୨୩ରୁ ରାଜ୍ୟ ଭିତର ଓ ବାହାରର ଶ୍ରଦ୍ଧାଳୁ ଦର୍ଶନ କରିବେ। ସେମାନଙ୍କ ପାଇଁ ୯୬ ଘଣ୍ଟାର ଆରଟିପିସିଆର ନେଗେଟିଭ ରିପୋର୍ଟ କିମ୍ବା ଦୁଇ ପର୍ଯ୍ୟାୟ କୋଭିଡ ଟିକାକରଣ ରିପୋର୍ଟକୁ ବାଧ୍ୟତାମୂଳକ କରାଯାଇଛି। ସମସ୍ତେ ମାସ୍କ ପରିଧାନ କରିବା ସହ ସାମାଜିକ ଦୂରତ୍ୱ ରକ୍ଷା କରିବେ। ଶ୍ରୀମନ୍ଦିର ଭିତରକୁ ଫୁଲ, ତୁଳସୀ, ପ୍ରସାଦ କିମ୍ବା ଦୀପ ନେଇପାରିବେ ନାହିଁ।
